
ଭୁବନ, ୧୨ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ୱିତୀୟ ଦଶହରାର ପରିଚୟ ପାଇଥିବା ପ୍ରସିଦ୍ଧ ଗଣେଶ ପୂଜାକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ସାଜସଜ୍ଜା ଓ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ବାହାରୁ ମୂର୍ତ୍ତି କାରିଗର ଓ ଗେଟ୍, ତୋରଣ, ଲାଇଟ୍ ସାଜସଜ୍ଜା ପାଇଁ କାରିଗର ମାନେ ଲଘୁଚାପଜନିତ ତୁହାକୁ ତୁହା ବର୍ଷା ସତ୍ତ୍ୱେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ସନ୍ଧ୍ୟାରେ ଲାଇଟ୍ ଗେଟ୍ ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଭୁବନ । ଏବେଠାରୁ ଉଠା ଦୋକାନୀ, ମୀନା ବଜାର, ଫାଷ୍ଟ ଫୁଡ ଷ୍ଟଲ୍ ସବୁ ଖୋଲି ଗଲାଣି । ଚଳିତ ବର୍ଷ ଭୁବନରେ ୨୧ଟି ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ପୂଜା ପାଇବେ । ପୂଜାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ କ୍ଲବ୍ ତରଫରୁ ପ୍ରତିଦ୍ୱନ୍ଦିତା ଭାବେ ମେଲୋଡି, ଅର୍କେଷ୍ଟ୍ରା ପାର୍ଟି ଆୟୋଜନ କରାଯାଇଛି ।
୧୪ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଏବଂ ୨୩ ଓ ୨୪ ତାରିଖ ଦୁଇ ଦିନ ମେଲଣ ପଡିଆରେ ଶ୍ରୀ ଗଣେଶ ମେଲଣ ମହୋତ୍ସବ ଅନୁଷ୍ଠିତ ହେବ । ୨୫ ତାରିଖ ମଧ୍ୟାହ୍ନରୁ ମିଳିତ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଫ୍ରେଣ୍ଡସିପ କ୍ଲବ୍ ର ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଇସ୍କୁଲ ପଡ଼ିଆରେ ଏଥର ବୃନ୍ଦାବନ ପ୍ରେମ ମନ୍ଦିର ମଡେଲ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବିଗତ ବର୍ଷ ଗୁଡିକରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କର ଗଜାନନ ବେଶ ଓ ଅଯୋଧ୍ୟା ରାମ ମନ୍ଦିର ମଡେଲ ନିର୍ମାଣ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ମଧ୍ୟ ବୃନ୍ଦାବନ ପ୍ରେମ ମନ୍ଦିର ଚର୍ଚ୍ଚାରେ ରହିବ ବୋଲି ଆଶା କରାଯାଉଛି।
ପ୍ରସିଦ୍ଧ ଗଣେଶ ପୂଜାରେ ସବୁଠାରୁ ମୁଖ୍ୟ ପ୍ରସଙ୍ଗ ହେଉଛି ଟ୍ରାଫିକ ନିୟନ୍ତ୍ରଣ। ଅପରାହ୍ନ ୫ଟା ଠାରୁ ରାତ୍ର୧୧ଟା ପର୍ଯ୍ୟନ୍ତ ଭିଡ ଲାଗିରହେ। ପେଟ୍ରୋଲ ପମ୍ପ ଛକ ଠାରୁ କାଳୀ ବଜାର, ନୂଆ ବଜାର, ଅରବିନ୍ଦ ମାର୍ଗ ଦେଇ ଦର୍ଶକ ମାନେ ହାଇସ୍କୁଲ ପଡ଼ିଆକୁ ଆସିଥାନ୍ତି । ପାର୍କିଂ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନଥିବା ବେଳେ ବାହାର ଲୋକମାନେ ବ୍ଲକ ରୋଡ, ସିନେମା ହଲ୍ ଛକ ଓ ହୋଣ୍ଡା ଶୋରୁମ୍ ଗଳିରେ ଚାରି ଚକିଆ, ଦୁଇ ଚକିଆ ଗାଡ଼ି ପାର୍କିଂ କରିଥାନ୍ତି । ଏଥିଯୋଗୁ କାଳୀ ବଜାରରୁ ନୂଆ ବଜାର ଓ ହାଇସ୍କୁଲ୍ ପଡ଼ିଆରେ ପ୍ରବଳ ଗହଳି ଓ ଜାମ୍ ହୋଇଥାଏ । ଗତ ବର୍ଷ ଲୋକମାନେ ଦୀର୍ଘ ସମୟ ଭିଡରେ ଫସି ଅଣନିଶ୍ୱାସୀ ହୋଇ ଯାଇଥିଲେ । ତେଣୁ ଗହଳି ମଧ୍ୟରେ ଦୁଇ ଚକିଆ, ଚାରି ଚକିଆ ଗାଡ଼ି ଆଦୌ ଛଡ଼ା ନଯାଇ ସେମାନଙ୍କ ପାଇଁ ଅଲଗା ରୁଟ୍ କରାଯିବାକୁ ବୁଦ୍ଧିଜୀବୀ ମହଲ ମତ ଦେଉଛନ୍ତି । ତେବେ ଟ୍ରାଫିକ ନିୟନ୍ତ୍ରଣକୁ ଏଥର କଡ଼ାକଡ଼ି କରାଯିବା ସହିତ ଚୋରି, ଛିନତାଇ, ପକେଟମାରଙ୍କୁ ପୋଲିସ ଦୃଢ଼ ହସ୍ତରେ ଦମନ କରିବ ବୋଲି ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ