
ଝାରସୁଗୁଡ଼ା, ୧୨ ସେପ୍ଟେମ୍ବର (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଝାରସୁଗୁଡ଼ା ଜିଲ୍ଲା ନ୍ୟାୟାଳୟ ଓ ଲଖନପୁର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକ ଅଦାଲତରେ ମୋଟ ୪୧୨୦ଟି ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଛି। ଏଥିରେ ସମୁଦାୟ ୫,୩୬,୯୪,୨୭୭ ଟଙ୍କା ୮ ପଇସାରେ ମାମଲାଗୁଡ଼ିକର ଫଇସଲା ହୋଇଛି। ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲରେ ବିଚାରାଧୀନ ୮ଟି ମାମଲାର ୫୩ ଲକ୍ଷ ୫୦ ହଜାର ଟଙ୍କା, ୧୬ଟି ଚେକ୍ ବାଉନ୍ସ ମାମଲାର ୧୦ ଲକ୍ଷ ୩୩ ହଜାର ୪୬୧ ଟଙ୍କା ଏବଂ ୧୪ଟି ଅନ୍ୟାନ୍ୟ ଦେୱାନି ମାମଲାର ୩ କୋଟି ୫୯ ଲକ୍ଷ ୪୦ ହଜାର ୩୨୭ ଟଙ୍କା ୮ ପଇସାରେ ଆପୋଷ ସମାଧାନ ହୋଇଛି। ଏଥିସହ ୯ଟି ସାଲିସଯୋଗ୍ୟ ଫୌଜଦାରୀ, ଗୋଟିଏ ଟଙ୍କା ପୁନରୁଦ୍ଧାର ମାମଲା, ଗୋଟିଏ ବୈବାହିକ/ପରିବାର ବିବାଦ, ୬୦୭ଟି ଅନ୍ୟାନ୍ୟ ଫୌଜଦାରୀ ଓ ୩ଟି ଶ୍ରମ ବିବାଦ ମାମଲା ମଧ୍ୟ ସମାଧାନ କରାଯାଇଛି। ୩୧୯୪ଟି ରାଜସ୍ୱ ମାମଲାର ୩ ଲକ୍ଷ ୨୪ ହଜାର ୮୧୦ ଟଙ୍କାରେ ଫଇସଲା ହୋଇଛି।
ପ୍ରାକ୍-ମୋକଦ୍ଦମା ମାମଲା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନର ୯୦ଟି ଋଣ ସମ୍ବନ୍ଧୀୟ ମାମଲା ୪୮ ଲକ୍ଷ ୪୮ ହଜାର ୪୫୬ ଟଙ୍କାରେ ସମାଧାନ ହୋଇଛି। ସେହିପରି ଆଞ୍ଚଳିକ ପରିବହନ ବିଭାଗର ୨୦ଟି ଟ୍ରାଫିକ୍ ଚାଲାଣ ମାମଲା ୬୫ ହଜାର ୫୦୦ ଟଙ୍କା, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର ୧୬ଟି ମାମଲା ୧୧ ଲକ୍ଷ ୩୪ ହଜାର ୩୩୭ ଟଙ୍କା, ବିଏସ୍ଏନ୍ଏଲ୍ର ୨ଟି ଟେଲିଫୋନ ବିଲ୍ ମାମଲା ୨୧୨୪ ଟଙ୍କା ଏବଂ ଟାଟା ପାୱାରର ୧୩୮ଟି ବିଦ୍ୟୁତ ବିଲ୍ ମାମଲା ୧୨ ଲକ୍ଷ ୬୪ ହଜାର ୪୯୫ ଟଙ୍କାରେ ଆପୋଷ ବୁଝାମଣାରେ ସମାଧାନ ହୋଇଛି।
ଜିଲ୍ଲା ଓ ଦୌରାଜଜ୍ ପ୍ରଶାନ୍ତ କୁମାର ନାୟକ ଓ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସଦାଶିବ ଜେନା ମୋଟରଯାନ ଦୁର୍ଘଟଣା ସମ୍ବନ୍ଧୀୟ ମାମଲାଗୁଡ଼ିକର ଆପୋଷ ସମାଧାନ କରି ବୀମା କମ୍ପାନୀଗୁଡ଼ିକୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଆଦେଶ ଦେଇଥିଲେ। ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ ଜନ ଉପଯୋଗୀ ସେବା ସମ୍ବନ୍ଧୀୟ ପ୍ରାକ୍-ମୋକଦ୍ଦମା ମାମଲାଗୁଡ଼ିକର ସମାଧାନ କରାଇଥିଲେ।
ବରିଷ୍ଠ ଦେୱାନି ବିଚାରପତି (ମହିଳା ନ୍ୟାୟାଳୟ) ପ୍ରତ୍ୟୁଶା କିରନ ବୈବାହିକ ଓ ପରିବାର ବିବାଦ ମାମଲାଗୁଡ଼ିକର ଆପୋଷ ସମାଧାନ କରାଇଥିବା ବେଳେ ଅନ୍ୟାନ୍ୟ ଦେୱାନି ମାମଲାଗୁଡ଼ିକର ସମାଧାନରେ ବିଚାରପତି ଡ. ସନ୍ଧ୍ୟା ରଥ, ଦେବଶ୍ରୀ ସାହୁ ଓ ମୋନାଲିସା ପ୍ରଧାନ ସହଯୋଗ କରିଥିଲେ। ଚେକ୍ ବାଉନ୍ସ ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାଗୁଡ଼ିକର ସମାଧାନରେ ଏସ୍ଡିଜେଏମ୍ ଡ. ବିଶ୍ୱଭୂଷଣ ନାୟକଙ୍କ ସମେତ ବିଭିନ୍ନ ବିଚାରପତି ଓ ମାଜିଷ୍ଟ୍ରେଟ୍ ଯୋଗଦେଇଥିଲେ। ଲୋକ ଅଦାଲତର ସୁଚାରୁ ପରିଚାଳନାରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସ୍ମୃତି ରଞ୍ଜନ ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଆଲୋକମୟୀ ପ୍ରଧାନ ଓ ସିଭିଲ କୋର୍ଟ ରେଜିଷ୍ଟ୍ରାର ସ୍ୱର୍ଣ୍ଣଲତା ନାୟକଙ୍କ ସହ ବିଭିନ୍ନ ଅଧିକାରୀ ଓ ସଦସ୍ୟମାନେ ସହଯୋଗ କରିଥିଲେ। ମାମଲାଗୁଡ଼ିକର ଶୀଘ୍ର ଓ ଆପୋଷ ସମାଧାନ ପାଇଁ ମୋଟ ୧୩ଟି ଲୋକ ଅଦାଲତ ବେଞ୍ଚ ଗଠନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଦାଲତରେ ମଧ୍ୟ ରାଜସ୍ୱ ମାମଲାର ସମାଧାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ