
ନୂଆଦିଲ୍ଲୀ, ୧୨ ସେପ୍ଟେମ୍ବର (ହି.ସ.)। ବ୍ରିକ୍ସ ଦେଶଗୁଡ଼ିକ ଶନିବାର ‘ନୂଆଦିଲ୍ଲୀ ଘୋଷଣାପତ୍ର ୨୦୨୬’କୁ ସର୍ବସମ୍ମତିକ୍ରମେ ଗୃହୀତ କରିଛନ୍ତି। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ‘ସମାବେଶୀ ବିଶ୍ୱ ଶାସନ ଓ ବହୁପକ୍ଷୀୟତାକୁ ସୁଦୃଢ଼ କରିବା’ ଶୀର୍ଷକ ପ୍ରଥମ ଅଧିବେଶନର ସମାପନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସଦସ୍ୟଙ୍କ ସହମତି ନେଇ ଏହି ଘୋଷଣା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୁଇଟି ଡାକଟିକେଟ୍ ମଧ୍ୟ ଉନ୍ମୋଚନ କରିଥିଲେ।
ସମାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ପରିବର୍ତ୍ତିତ ବିଶ୍ୱକୁ ପୁରୁଣା ସଂସ୍ଥାଗୁଡ଼ିକ ମାଧ୍ୟମରେ ପରିଚାଳନା କରାଯାଇପାରିବ ନାହିଁ। ଭବିଷ୍ୟତର ପ୍ରଯୁକ୍ତି ଏବଂ ଏହା ସମ୍ପର୍କିତ ନିଷ୍ପତ୍ତି ଗ୍ରହଣର ନିୟମ ପ୍ରସ୍ତୁତିରେ ଗ୍ଲୋବାଲ ସାଉଥ୍ର ସମାନ ଭାଗିଦାରି ରହିବା ଆବଶ୍ୟକ।
ମୋଦୀ କହିଥିଲେ ଯେ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ପ୍ରତିନିଧିତ୍ୱ, ଉତ୍ତରଦାୟିତ୍ୱ ଏବଂ ନିୟମ ପ୍ରଣୟନ ପ୍ରକ୍ରିୟା—ଏହି ତିନୋଟି କ୍ଷେତ୍ରରେ ସଂସ୍କାର ଆବଶ୍ୟକ। ନିଷ୍ପତ୍ତି ଓ ଏହାର ପରିଣାମ ମଧ୍ୟରେ ରହିଥିବା ଦୂରତାକୁ ସହଭାଗିତା ଓ ସାମୂହିକ ପ୍ରୟାସ ମାଧ୍ୟମରେ କମାଇବାକୁ ହେବ। ନୂଆଦିଲ୍ଲୀ ଘୋଷଣାପତ୍ର ଆମର ସାମୂହିକ ସଂକଳ୍ପକୁ ସ୍ପଷ୍ଟ କରିବା ସହ ଏହାକୁ ଏକ ଦିଗ ଦେଇଛି। ଏବେ ଏହି ସଂକଳ୍ପଗୁଡ଼ିକୁ ଠୋସ୍ ପରିଣାମରେ ପରିଣତ କରିବା ଆମର ଦାୟିତ୍ୱ ବୋଲି ସେ କହିଥିଲେ।
ସୂତ୍ରଙ୍କ ଠାରୁ ପ୍ରକାଶ ଯେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ସର୍ବସମ୍ମତି ହାସଲ କରିବା ଏବଂ ମିଳିତ ଘୋଷଣା ଜାରି କରିବା ପାଇଁ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ଆଲୋଚନାକାରୀମାନେ ଶନିବାର ଭୋର ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଘୋଷଣାପତ୍ରର ଚିଠା ଉପରେ ଆଲୋଚନା କରୁଥିଲେ। ଏହି ଆଲୋଚନା ଭୋର ୫ଟା ୪୫ ମିନିଟ୍ରେ ଶେଷ ହୋଇଥିଲା।
ସମାପନୀ ଅଧିବେଶନରେ ମୋଦୀ କହିଥିଲେ ଯେ ବୈଠକ ଅର୍ଥପୂର୍ଣ୍ଣ ଓ ରଚନାତ୍ମକ ରହିଥିଲା। ମତାମତରେ ବିବିଧତା ସତ୍ତ୍ୱେ ସାମୂହିକ ପ୍ରତିବଦ୍ଧତା ମଧ୍ୟ ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି। ପରିବର୍ତ୍ତିତ ବିଶ୍ୱକୁ ପୁରୁଣା ସଂସ୍ଥାଗୁଡ଼ିକ ମାଧ୍ୟମରେ ପରିଚାଳନା କରାଯାଇପାରିବ ନାହିଁ ବୋଲି ସେ ପୁନର୍ବାର କହିଥିଲେ। ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ପ୍ରତିନିଧିତ୍ୱ, ଉତ୍ତରଦାୟିତ୍ୱ ଓ ନିୟମ ପ୍ରଣୟନ ପ୍ରକ୍ରିୟାରେ ସଂସ୍କାର ଆବଶ୍ୟକ। ଭବିଷ୍ୟତର ପ୍ରଯୁକ୍ତି ଏବଂ ଏହା ସମ୍ପର୍କିତ ନିୟମ ଓ ନିଷ୍ପତ୍ତି ପ୍ରକ୍ରିୟାରେ ଗ୍ଲୋବାଲ ସାଉଥ୍ର ସମାନ ଭାଗିଦାରି ରହିବା ଉଚିତ ବୋଲି ସେ ଜୋର ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଭାରତର ଅଧ୍ୟକ୍ଷତାରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଚାଲିଛି। ଶିଖର ସମ୍ମିଳନୀରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିଶ୍ୱ ଶାସନ, ଅର୍ଥନୈତିକ ସହଯୋଗ, ପ୍ରଯୁକ୍ତି ଏବଂ ଗ୍ଲୋବାଲ ସାଉଥ୍ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ