
ପୁରୀ, ୧୨ ସେପ୍ଟେମ୍ବର (ହି.ସ.)- ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା, ପିପିଲି, କୋଣାର୍କ, କଣାସ, ବ୍ରହ୍ମଗିରି, ଅସ୍ତରଙ୍ଗ, କାକଟପୁର ଓ ସତ୍ୟବାଦୀ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ଆନନ୍ଦ ନାରାୟଣ ମହାରଣାଙ୍କ ତତ୍ୱାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ, ପରିତୋଷ କୁମାର ସେଠୀଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୧୬୯୫୦ ଗୋଟି ମୋକଦ୍ଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୬,୫୦,୬୨,୧୦୫/-ଟଙ୍କା ଆଦାୟ କରାଯାଇଅଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ଓ ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଏହାକୁ ଉଦ୍ଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୈକତ ପାତ୍ର, ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡକ୍ଟର ଦୀପକ ରଞ୍ଜନ ସାହୁ, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମିସ ଚିନ୍ମୟୀ ଦେହୁରି, ମୁଖ୍ୟ ବିଚାରପତି ପ୍ରସନ୍ନ କୁମାର ବେହେରା, ବରିଷ୍ଠ ଦେୱାନି ବିଚାରପତି ସୋମ୍ୟରୁପ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ପ୍ରଜ୍ଞା ପଣ୍ଡା, ଦ୍ବିତୀୟ ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ସୋନାଲୀ ଅପରାଜିତା, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଅବିନାଶ ଜେନା, ଗ୍ରାମ ନ୍ୟାୟାଧିକାରୀ ସୋନାଲୀ ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (କଗ -୧) ମିସ୍ ରୀତିକା ଗର୍ଗ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (କଗ -୨) ଅନିମେଶ ଜେନା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର, ଶିବାନୀ ମହାପାତ୍ର, ସୀମା ଅଗ୍ରୱାଲା, ଚେତନ ଲାଢା ଓ ଦ୍ବିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପ୍ରିୟଙ୍କା ଅଗ୍ରୱାଲ ମାମଲା ଗୁଡିକର ବିଚାର କରିଥିଲେ ।
ଲୋକ ଅଦାଲତରେ ୬୭ ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୩ ,୮୪ ,୩୯ ,୦୦୦ /- ଟଙ୍କା ଆଦାୟ କରାଯାଇଛି । ସେହିପରି ୩୨ ଗୋଟି ଚେକବାଉନ୍ସ କେସ, ୯ ଗୋଟି ବ୍ୟାଙ୍କ ରିକଭାରୀ କେସେସ, ୨୫ ଗୋଟି ମାଟ୍ରିମୋନିଆଲ ଡିସପୁଟ, ୭୫ ଗୋଟି ସିଭିଲ କେସ, ୮୯ ଗୋଟି ଅନ୍ୟାନ୍ୟ କ୍ରିମିନାଲ ମାମଲା ମୋକଦମା ଫଇସଲା କରାଯାଇଥିଲା । ଏହାଛଡା ୧୮୧ ଗୋଟି ପ୍ରାକ ମୋକଦ୍ଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ଋଣ ଇତ୍ୟାଦି ବାବଦକୁ ୧,୦୧,୬୮,୭୨୮/- ଟଙ୍କା ଆଦାୟ କରାଯାଇଅଛି ।
ଆଜିର ଏହି ଲୋକ ଅଦାଲତରେ ଜିଲ୍ଲା କାରାଗାରର କଏଦୀମାନଙ୍କ ଦ୍ବାରା ତିଆରି କରାଯାଇଥିବା ୩୦,୦୦୦ ଟଙ୍କାର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଷ୍ଟଲ କୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ