ସୁନା ଦୋକାନରେ ସୁଡ଼ଙ୍ଗ କରି ଚୋରି
Theft from jwellery shop
ସୁନା ଦୋକାନରେ ସୁଡ଼ଙ୍ଗ କରି ଚୋରି


କୋଟିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ, ସିସିଟିଭି ଡିଭିଆର ନେଇ ଫେରାର

ଝାରସୁଗୁଡ଼ା,, 12 ସେପ୍ଟେମ୍ବର (ହି.ସ.) ଝାରସୁଗୁଡ଼ା ସହରରେ ଶନିବାର ଭୋର ସମୟରେ ଏକ ଜୁଏଲାରୀ ଦୋକାନରେ ବଡ଼ଧରଣର ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଚୋରମାନେ ଦୋକାନର କାନ୍ଥ କାଟି ଭିତରକୁ ପଶି କୋଟିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପୁରୁଣାବସ୍ତି ଛକ ନିକଟରେ ଥିବା ମଙ୍ଗାସପୁରିଆ ଜୁଏଲାରୀରେ ଶନିବାର ଭୋର ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଚୋରି ହୋଇଥିବା ଅନୁମାନ କରାଜାଉଛି। ଚୋରମାନେ ପାଖରେ ଥିବା ଏକ କୋଠାର ଛାତ ଉପରକୁ ଚଢ଼ି ସେଠାରୁ ଜୁଏଲାରୀ ଦୋକାନର ତୃତୀୟ ମହଲା କାନ୍ଥରେ କଟିଂ ମେସିନ୍ ଦ୍ୱାରା ଗାତ କରି ଦୋକାନ ଭିତରକୁ ପ୍ରବେଶ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିଛି।

ଦୋକାନ ଭିତରକୁ ପଶିବା ପରେ ଚୋରମାନେ ପ୍ରଦର୍ଶନୀ କାଉଣ୍ଟରରେ ରଖାଯାଇଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ। ଚୋରିର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ସିସିଟିଭି କ୍ୟାମେରାର ତାର କାଟିବା ସହ ଡିଜିଟାଲ ଭିଡିଓ ରେକର୍ଡର (ଡିଭିଆର) ମଧ୍ୟ ନେଇଯାଇଥିବା ଜଣାପଡ଼ିଛି।

ସକାଳେ ଦୋକାନ ମାଲିକ ପ୍ରବୀଣ ଅଗ୍ରୱାଲ ଦୋକାନ ଖୋଲିବା ପରେ ଘଟଣା ସାମ୍ନାକୁ ଆସିଥିଲା। ବିଭିନ୍ନ ଶୋକେସ୍ ଖୋଲା ଥିବା ଏବଂ ସେଥିରୁ ଅଳଙ୍କାର ଗାଏବ ଥିବା ସେ ଦେଖିଥିଲେ। ଏହାପରେ ସିସିଟିଭି ଡିଭିଆର ମଧ୍ୟ ନଥିବା ଜାଣି ସେ ପୁଲିସକୁ ସୂଚନା ଦେଇଥିଲେ।

ଦୋକାନ ମାଲିକ ଅଗ୍ରୱାଲ କହିଛନ୍ତି, ପଛପଟୁ ପଡ଼ୋଶୀ କୋଠା ଦେଇ ଚୋରମାନେ ଦୋକାନର କାନ୍ଥରେ ଗାତ କରି ପ୍ରବେଶ କରିଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ କୋଟିଏ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି।

ଖବର ପାଇ ଝାରସୁଗୁଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର, ଏସ୍ଡିପିଓ ଓ ଆଇଆଇସିଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏସ୍ପି କହିଛନ୍ତି, ଚୋରମାନେ କାନ୍ଥ କାଟି ଦୋକାନ ଭିତରକୁ ପ୍ରବେଶ କରି ପ୍ରଦର୍ଶନୀ ରାକ୍ରେ ଥିବା ସୁନା ଅଳଙ୍କାର ନେଇଯାଇଛନ୍ତି। ଚୋରି ହୋଇଥିବା ଅଳଙ୍କାରର ପ୍ରକୃତ ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ ହୋଇନାହିଁ। ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି।

ପୁଲିସ ପକ୍ଷରୁ ଘଟଣାସ୍ଥଳରୁ ମିଳିଥିବା ବିଭିନ୍ନ ପ୍ରମାଣ ଯାଞ୍ଚ କରାଯିବା ସହ ଚୋରମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande