
ଝାରସୁଗୁଡ଼ା, ୧୨ ସେପ୍ଟେମ୍ବର (ହି.ସ.)- କୁଡାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି କୁଡାଲୋଇ ଓ ବଞ୍ଜରୀ ଗ୍ରାମର ଶତାଧିକ ଜମି ମାଲିକ ଓ ରୟତ ପଟ୍ଟାଧାରୀ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନିଜର ବ୍ୟକ୍ତିଗତ ଆପତ୍ତି ଲିଖିତ ଆକାରରେ ଦାଖଲ କରିଛନ୍ତି।
ଗତ ଜୁଲାଇ ୨୨ ତାରିଖରେ ଭୂମି ଅଧିଗ୍ରହଣ ଆଇନ-୨୦୧୩ର ଧାରା ୧୧(୧) ଅନୁଯାୟୀ କୁଡାଲୋଇ ଓ ବଞ୍ଜରୀ ଗ୍ରାମର ମୋଟ ପ୍ରାୟ ୪୫୦ ଏକର ରୟତ ଜମି କୁଡାଲୋଇ କୋଇଲା ବ୍ଲକ ପାଇଁ ଅଧିଗ୍ରହଣ ନିମନ୍ତେ ଅଧିସୂଚନା ଜାରି ହୋଇଥିଲା। ଏଥିରେ ୬୦ ଦିନ ମଧ୍ୟରେ ଜମି ମାଲିକଙ୍କର କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ ଦାଖଲ କରିବାକୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ରୟତମାନେ ଦାଖଲ କରିଥିବା ଆପତ୍ତିପତ୍ରରେ ନିଜ ପୈତୃକ ସମ୍ପତ୍ତି ଓ ଜନ୍ମମାଟି ଛାଡ଼ି ବିସ୍ଥାପିତ ହେବାକୁ ସେମାନେ ଚାହୁଁନଥିବା ଦର୍ଶାଇଛନ୍ତି। ଜମି ଅଧିଗ୍ରହଣ ହେଲେ ସେମାନଙ୍କର ଚାଷବାସ ଓ ଜୀବିକା ସବୁଦିନ ପାଇଁ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜମି ବଦଳରେ ମିଳୁଥିବା କ୍ଷତିପୂରଣ ରାଶି ଶେଷ ହୋଇଗଲା ପରେ ପରିବାରର ଜୀବିକା କିପରି ଚାଲିବ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀ ପକ୍ଷରୁ ସ୍ଥାୟୀ ଚାକିରି ମିଳିବାର କୌଣସି ନିଶ୍ଚିତତା ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ବିସ୍ଥାପନ ପରେ ସେମାନେ କେଉଁଠାରେ ଥଇଥାନ ହେବେ, ତାହା ମଧ୍ୟ ସ୍ପଷ୍ଟ ନୁହେଁ ବୋଲି ରୟତମାନେ ଦର୍ଶାଇଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଲୋକଙ୍କ ସହ ଆବଶ୍ୟକ ଆଲୋଚନା ନକରି ସାମାଜିକ ପ୍ରଭାବ ସମୀକ୍ଷା କରାଯାଇଛି। ପିପିଲିମାଳ, ବାର୍ତ୍ତାପ ଓ ବେଲପାହାଡ଼ ଗ୍ରାମକୁ ସାମାଜିକ ପ୍ରଭାବ ସମୀକ୍ଷାରୁ ବାଦ୍ ଦିଆଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ସେହିପରି ବଞ୍ଜରୀ, କୁଡାଲୋଇ ଓ ବାର୍ତ୍ତାପ ଗ୍ରାମର ଗ୍ରାମସଭା ବିବରଣୀରେ ହେରଫେର କରାଯାଇ ଜଙ୍ଗଲ ଜମିର ଡାଇଭର୍ସନ ପାଇଁ ଅନୁମୋଦନ କରାଯାଇଥିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି। ସାମାଜିକ ପ୍ରଭାବ ସମୀକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଉପରୋକ୍ତ ସମସ୍ତ ସମସ୍ୟା ଓ ଆଶଙ୍କାକୁ ନେଇ ରୟତମାନେ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଦାଖଲ କରିବା ସହ ବେଦାନ୍ତ କମ୍ପାନୀ ପାଇଁ ନିଜ ଜମି ଦେବାକୁ ସେମାନେ ଇଚ୍ଛୁକ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଗୋପନାଥ ମାଝୀ, ବିରଞ୍ଚି ସାହୁ, ଟିକେଶ୍ୱର ପ୍ରଧାନ, ସୁବଳ ରାଉତ, ଧନେଶ୍ୱର ମାଝୀ, ମୁରଲୀଧର ମାଝୀ, ସଉକି ପ୍ରଧାନ, ଲିଙ୍ଗରାଜ ପ୍ରଧାନ, କୁବେର ପ୍ରଧାନ, ମଧୁ ଛାତ୍ରିଆ, ଦିଲୀପ ପିଙ୍ଗଙ୍କ ସମେତ ବହୁ ଜମି ମାଲିକ ଓ ରୟତ ପଟ୍ଟାଧାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ