
ଝାରସୁଗୁଡ଼ା, ୧୨ ସେପ୍ଟେମ୍ବର (ହି.ସ.)- ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ଯାତ୍ରୀ ପ୍ରତୀକ୍ଷାଳୟ ଏବେ ବର୍ଷାରୁ ଯାତ୍ରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଡାକ୍ତରଖାନା ଛକ ନିକଟ ଜାତୀୟ ରାଜପଥ ନମ୍ବର ୪୯ କଡ଼ରେ ଥିବା ଏହି ପ୍ରତୀକ୍ଷାଳୟର ଛାତରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଣି ଗଳି ପଡ଼ୁଛି। ଫଳରେ ପ୍ରତୀକ୍ଷାଳୟ ଭିତରେ ପାଣି ଜମି ରହୁଥିବାରୁ ଯାତ୍ରୀମାନେ ବସିବା ପରିବର୍ତ୍ତେ ବାହାରେ ଠିଆ ହୋଇ ଗାଡ଼ିକୁ ଅପେକ୍ଷା କରୁଛନ୍ତି। ଗତ ଜୁଲାଇ ମାସରୁ ଲଗାତାର ବର୍ଷା ଯୋଗୁଁ ପ୍ରତୀକ୍ଷାଳୟର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି। ଛାତର ବିଭିନ୍ନ ସ୍ଥାନରୁ ପାଣି ଝରୁଥିବାରୁ ଚଟାଣରେ ପାଣି ଜମି ଯାଉଛି। ଏହା ଫଳରେ ବୟସ୍କ, ମହିଳା, ଶିଶୁ ଓ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି।
ସ୍ଥାନୀୟ ସୂଚନା ଅନୁଯାୟୀ, ପ୍ରାୟ ୨୦ରୁ ୨୫ ବର୍ଷ ପୂର୍ବେ ନିର୍ମିତ ଏହି ପ୍ରତୀକ୍ଷାଳୟର ଅବସ୍ଥା ଖରାପ ହୋଇପଡ଼ିବା ପରେ ୨୦୨୩-୨୪ ମସିହାରେ କୋଲାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହାର ମରାମତି କରାଯାଇଥିଲା। ଚଟାଣରେ ମାର୍ବଲ ବିଛାଯିବା ସହ ନୂତନ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ଓ ରଙ୍ଗ ଦିଆଯାଇ ପ୍ରତୀକ୍ଷାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ମାତ୍ର ମରାମତିର ଦୁଇ ବର୍ଷ ମଧ୍ୟରେ ଛାତରୁ ପାଣି ଗଳିବା ଘଟଣା ସମ୍ପୃକ୍ତ କାର୍ଯ୍ୟର ଗୁଣବତ୍ତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଯଦି ଯାତ୍ରୀମାନେ ବର୍ଷା ସମୟରେ ପ୍ରତୀକ୍ଷାଳୟରେ ଆଶ୍ରୟ ନେଇ ନପାରନ୍ତି, ତେବେ ଏଭଳି ମରାମତିର ଉଦ୍ଦେଶ୍ୟ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ମହଲରେ ଏହାକୁ ନେଇ ଠିକାଦାର ପୋଷା ନୀତିରେ କାମ କରାଯାଇଥିବା ଅଭିଯୋଗ ମଧ୍ୟ ହେଉଛି। ସରକାରୀ ଅର୍ଥରେ ନିର୍ମିତ ଓ ମରାମତି ହେଉଥିବା ସାଧାରଣ ଲୋକଙ୍କ ସୁବିଧା ସମ୍ପର୍କିତ କାର୍ଯ୍ୟରେ ଯଦି ଗୁଣବତ୍ତା ରକ୍ଷା ନହୁଏ, ତେବେ ଏହା ସିଧାସଳଖ ଭାବେ ଜନସ୍ୱାର୍ଥକୁ ପ୍ରଭାବିତ କରୁଛି ବୋଲି ମତ ପ୍ରକାଶ ପାଇଛି। ତେଣୁ ପ୍ରତୀକ୍ଷାଳୟର ମରାମତି କାର୍ଯ୍ୟର ମାନ ଯାଞ୍ଚ କରିବା ସହ ଛାତରୁ ପାଣି ଗଳିବା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଲକ୍ଷାଧିକ ଟଙ୍କାର ମରାମତି କାର୍ଯ୍ୟ କିପରି ହୋଇଥିଲା ଏବଂ ଏହାର ଗୁଣବତ୍ତା ଯାଞ୍ଚ ହୋଇଥିଲା କି ନାହିଁ, ସେନେଇ ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଏନେଇ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ