
ଜୟପୁର, ୧୨ ସେପ୍ଟେମ୍ବର(ହି.ସ.) – କୋରାପୁଟ ଜିଲାରେ ବଢ଼ୁଛି ପ୍ଲାଷ୍ଟର ପ୍ୟାରିସ୍ର ଚାହିଦା ରହିଥିବା ବେଳେ କମୁଛି ମୃଣ୍ମୟ ମୂର୍ତିର ଆଦର ଏହାକୁ ନେଇ ମୃଣୃୟ ମୂର୍ତିି କାରିଗରଙ୍କ ଚିନ୍ତା ବଢ଼ିଛି। ଚଳିତ ଭାଦ୍ରବ ମାସ ଚତୁର୍ଥୀ ଆର୍ଥାତ ସୋମବାର ଦିନ ଗଜାନନ ଧରାବତରଣ କରିବେ। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପୂଜା ମଣ୍ଡପରେ ଦେବାଦେବୀଙ୍କ ମୃଣ୍ମୟ ମୂର୍ତି ନିର୍ମାଣରେ କାରିଗର ବ୍ୟସ୍ତ ଅଛନ୍ତି। ମାତ୍ର ପୂର୍ବ ଅପେକ୍ଷା ମୃଣ୍ମୟ ମୂର୍ତିର ଚାହିଦା ନଥିବାରୁ ଏହା ଉପରେ ନିର୍ଭର କରୁଥିବା ମୂର୍ତି କାରିଗର ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। ଏଥିସହିତ ମୂର୍ତି ନିର୍ମାଣ ପାଇଁ ଆବଶ୍ୟକୀୟ ସରଞ୍ଜାମର ଦରବୃଦ୍ଧି ଯୋଗୁ ମୂର୍ତି କାରିଗର ଆଶଙ୍କାରେ ରହିଛନ୍ତି। ପାର୍ବଣ ଋତୁ ଆରମ୍ଭ ହେଲେ କେତେକ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ଷ୍ଟଲ ଖୋଲି ପ୍ଲାଷ୍ଟର ପ୍ୟାରିସ୍ରେ ନିର୍ମିତ ମୂର୍ତି ବିକ୍ରି କରୁଥିବାରୁ ମୃଣ୍ମୟ ମୂର୍ତିର ଚାହିଦା ମଧ୍ୟ କମୁଥିବା ଦେଖାଯାଉଛି। ପୂର୍ବ ପରମ୍ପରା ଅନୁଯାୟୀ ମାଟିରେ ନିର୍ମିତ ମୂର୍ତି ପୂଜା କରିବା ବିଧେୟ ଥିବାବେଳେ ଏବେ ଶ୍ରଦ୍ଧାଳୁ ସୁନ୍ଦର ରଙ୍ଗବେରଙ୍ଗରେ ନିର୍ମିତ ଆକର୍ଷଣୀୟ ପ୍ଲାଷ୍ଟର ପ୍ୟାରିସ ମୂର୍ତିକୁ ପୂଜା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁର, କୋରାପୁଟ, ସେମିଳିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ପୁରୁଷାନୁକ୍ରମେ କାରିଗର ମୂର୍ତି ତିଆରି କରୁଥିବାବେଳେ ଚଳିତବର୍ଷ ସେମାନେ ମୂର୍ତି ବିକ୍ରି ନହେବା ଆଶଙ୍କାରେ ହାତବାନ୍ଧି ବସିଛନ୍ତି।
ପ୍ରାଚୀନ କାଳରୁ କୁମ୍ଭକାର ମୂର୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଆସୁଛନ୍ତି। କୁମ୍ଭକାର କାରିଗରଙ୍କ ଯାଦୁକରୀ ସ୍ପର୍ଶରେ ବିଭିନ୍ନ ଦେବଦେବୀଙ୍କ ମାଟିର ମୂର୍ତି ଜୀବନ୍ତ ରୂପ ନିଏ। ତେବେ କିଛି ବର୍ଷ ହେବ ପ୍ଲାଷ୍ଟର ପ୍ୟାରିସ ମୂର୍ତି ବିକ୍ରି ହେବାରୁ ମୃଣ୍ମୟ ମୂର୍ତି ବିକ୍ରୟ ହ୍ରାସ ପାଇଥିବାବେଳେ ଏବେ ମୂର୍ତି ନିର୍ମାଣରେ ଦେଖାଦେଇଛି ଅନେକ ସମସ୍ୟା। ସହର ଉପକଣ୍ଠରେ ମାଟି ଓ ନଡ଼ା ଅଭାବ ଯୋଗୁଁ ଶିଳ୍ପୀ ମୂର୍ତି ନିର୍ମାଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ପରିଶ୍ରମ ଅନୁଯାୟୀ ମୂର୍ତିର ମୂଲ୍ୟ ମଧ୍ୟମିଳୁନାହିଁ। ମୂର୍ତି ନିର୍ମାଣ ପାଇଁ ଆବଶ୍ୟକ କଂଚାମାଲ ନଡ଼ା, ସୁତୁଲି, ବାଉଁଶ, ମାଟି, ରଙ୍ଗ ଓ ଠାକୁରଙ୍କ ବସ୍ତ୍ର ଆଦି ସରଞ୍ଜାମର ଦର ପୂର୍ବ ଅପେକ୍ଷା ଦୁଇଗୁଣ ବୃଦ୍ଧି ପାଇଛି। ସେହି ଅନୁପାତରେ ଗ୍ରାହକ ମୂଲ୍ୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଏଣୁ ମୂର୍ତି କାରିଗର ଏବେ ଚିନ୍ତାରେ ପଡ଼ିଛନ୍ତି। ବଜାରରେ ପ୍ଲାଷ୍ଟର ପ୍ୟାରିସ ମୂର୍ତିର ବହୁଳ ବିକ୍ରୟ ହେଉଥିବାରୁ ଛୋଟ ଛୋଟ ମୂର୍ତି ନିର୍ମାଣ କରୁଥିବା ମାଟି କାରିଗର ବସିଛନ୍ତି। ଫଳରେ ପ୍ଲାଷ୍ଟର ପ୍ୟାରିସ୍ର ଚାହିଦା ବଢ଼ିଥିବାବେଳେ ମୃଣ୍ମୟ ମୂର୍ତିର ଆଦର କମିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି