
ଭୁବନେଶ୍ବର , 12 ସେପ୍ଟେମ୍ବର (ହି.ସ.) -ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ମାମଲାରେ ଆନ୍ତର୍ଜାତୀୟ ତସ୍କରୀ ଗ୍ୟାଙ୍ଗର ହାତ ରହିଛି ବୋଲି ସନେ୍ଦହ ପ୍ରକାଶ ପାଇଥିବା ବେଳେ, ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବା ବେଳେ, ଏହା ଦେଶର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ଥିବାରୁ, ଏହି ମାମଲାର ତଦନ୍ତ ସିବିଆଇ ବା ଏନଆଇଏ ଦ୍ୱାରା କରାଯାଉ ବୋଲି ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ ଦାବି କରିଛନ୍ତି ।
ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଭୋଗରାଇ ବିଜେଡି ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ, ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ହେବାକୁ ନେଇ ଜନସାଧାରଣଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଓରାଙ୍ଗଉଟାନ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆ ଭଳି ଦେଶ ମାନଙ୍କରେ ଦେଖିବାକୁ ମିଳନ୍ତି । ଏହା ଏକ ବିରଳ ପ୍ରଜାତିର ପ୍ରାଣୀ ହୋଇଥିବା ବେଳେ କିଭଳି ଭାବେ ସୁଦୂର ଇଣ୍ଡୋନେସିଆ ବା ମାଲେସିଆରୁ ଭୋଗରାଇ ପର୍ଯ୍ୟନ୍ତ ଆସିପାରିଲା ? ଏହି ପ୍ରାଣୀ ମାନଙ୍କ ଚାଲାଣ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରୀ ଗ୍ରୁପ ଦ୍ୱାରା କରାଯାଇଛି ବୋଲି ସନେ୍ଦହ କରାଯାଉଛି । ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଏହି ତସ୍କରୀ ଗ୍ରୁପ ବିରଳ ପ୍ରାଣୀଙ୍କୁ ଏତେ ଦୂର ଆଣିପାରିଲା, ତାହେଲେ ଏହି ପଥ ଦେଇ ଦେଶର ଶତ୍ରୁ ମାନେ ମଧ୍ୟ ପ୍ରବେଶ କରିପାରନ୍ତି । ପାଞ୍ଚ ପାଞ୍ଚଟି ଓରାଙ୍ଗଉଟାନ ଏଠାରେ ପହଞ୍ଚିବାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଘୁରି ବୁଲୁଛି । କୌଣସି ସୁରକ୍ଷା ଅଧିକାରୀଙ୍କ ନଜରରେ ଏମାନେ ଆସି ନଥିଲେ ।
ଶ୍ରୀ ଦାସ ଆହୁରି କହିଥିଲେ, ଚିନ୍ତାର ବିଷୟ ଯେ, ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ଗୋଳାବାରୁଦ ପରୀକ୍ଷା କେନ୍ଦ୍ର ରହିଛି ଓ ଏପିଜେ ଅବଦୁଲ କଲାମ ଦ୍ୱିପରେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ରହିଛି । ଅପରାଧୀ ମାନେ ସଫଳତାର ସହିତ ଯଦି ଭୋଗରାଇ ପର୍ଯ୍ୟନ୍ତ ପହଞ୍ଚି ପାରୁଛନ୍ତି ତାହେଲେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କଷ୍ଟକର ହେବ ନାହିଁ । ଯେହେତୁ ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏହାର ତଦନ୍ତ ସିବିଆଇ କିମ୍ୱା ଏନଆଇଏ ଦ୍ୱାରା କରାଯାଉ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା