
ସ୍ୱେଚ୍ଛାକୃତ ରକ୍ତଦାନ ପଞ୍ଜୀକରଣ ପାଇଁ “କ୍ୟୁଆର କୋର୍ଡ ଲୋକାର୍ପିତ
ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ, ନିରନ୍ତର ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ପ୍ରେରଣା ଭାବେ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ଆସନ୍ତା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା “ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ଯୁବମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡିଆ ଠାରେ ସକାଳ ୭ ଘଟିକା ଠାରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏଥି ସହ ମୋଦିଜୀଙ୍କ ଜିବନୀ ଉପରେ ଆଧାରିତ ପ୍ରାମାଣିକ ଚଳଚିତ୍ର, ନୁକଡ ନାଟକ, ଯୁବାଭିମୁଖି ଯୋଜନା ଓ ଯୁବ ଆକାଂକ୍ଷା ଆଧାରିତ ପ୍ରଦର୍ଶନୀ, ସେଲ୍ଫି କର୍ଣ୍ଣର ଆଦି ମଧ୍ୟ ପ୍ରଦର୍ଶିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ମାର୍ଗଦର୍ଶନ ତଥା ପ୍ରେରଣାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଛି। ଅଦ୍ୟାବଧି ଗୋଟିଏ ସଂଗଠନ ଦ୍ୱାରା ଗୋଟିଏ ସ୍ଥାନ, ଗୋଟିଏ ଦିନ ଏବଂ ଗୋଟିଏ କ୍ୟାମ୍ପରେ ସର୍ବାଧିକ ରକ୍ତ ସଂଗ୍ରହ କରାଯାଇ ନୂତନ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିବାର ପ୍ରୟାସ କରାଯିବ ବୋଲି ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସେବା ‘ସଂକଳ୍ପ ଅଭିଯାନ’ର ରାଜ୍ୟ ସଂଯୋଜକ ତଥା ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସେବା ଓ ସଂକଳ୍ପର ଭାବାନାକୁ ନେଇ ଭାରତର ଅଦ୍ୱିତୀୟ ନେତା ପ୍ରଧାନମନ୍ତ୍ରୀ ମୋଦିଜୀ ନିରନ୍ତର ଭାବେ ଗତ ୨୫ ବର୍ଷ ଧରି ସୁଶାସନ ଦେଇ ଆସୁଛନ୍ତି । ସେପ୍ଟେମ୍ବର ୧୭ରୁ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା “ସେବା ସଂକଳ୍ପ ଅଭିଯାନ” ରେ ଓଡ଼ିଶାରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ସାମିଲ ହେବେ । ସେବା ସଂକଳ୍ପ ଅଭିଯାନ'ରେ ୧୩ଟି ପ୍ରମୁଖ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରକ୍ତଦାନ ଶିବିର, ଆର୍ଶୀବାଦର ଦୀପ, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ନମୋ ସେବା ଗାଥା, ଅଙ୍ଗନବାଡୀ ଉତ୍ସବ, ପରିବର୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ସେବା ଓ ମୋର ଯୋଗଦାନ, ସେବା ସେତୁ ଅଭିଯାନ, ରଙ୍ଗୋଲୀ ରାଷ୍ଟ୍ର, ଜନସେବାର ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେବା ସଂକଳ୍ପର ବାର୍ତାକୁ ତଳ ସ୍ତରରେ ପହଂଚାଇବା ଓ ମୋଦିଜୀଙ୍କ ଭଳି ଆମେ ମାନେ ମଧ୍ୟ ନିଜକୁ ଦେଶସେବାରେ ସମର୍ପିତ କରିବା ପାଇଁ ସଂକଳ୍ପ ନେବାକୁ ମନ୍ତ୍ରୀ ଡା.ମହାପାତ୍ର ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟକାର୍ଯ୍ୟାଳୟଠାରେ ଯୁବକମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ପ୍ରେରିତ କରିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଏକ ଗୀତ ‘ରକ୍ତଦାନ ମହାପୂଣ୍ୟ’ ର ଅନାବରଣ କରାଯାଇଥିଲା। ସେହିପରି ସ୍ୱେଚ୍ଛାକୃତ ରକ୍ତଦାନ ପଞ୍ଜୀକରଣ ପାଇଁ “କ୍ୟୁଆର କୋର୍ଡ”କୁ ଲୋକାର୍ପିତ କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ର ରାଜ୍ୟ ସହ ସଂଯୋଜକ ତଥା ବିଧାୟକ ଇରାଶିଶ୍ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ମାନସ ସାହୁ, ଶକ୍ତିରଞ୍ଜନ ଶତପଥୀ ଏବଂ ରତନ ବଣିକ ପ୍ରମୁଖ ଉପସ୍ଥିତ ଥିଲେ।
..............
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା