

ଭୁବନ, ୧୩ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୩୧ କୋଟି ଟଙ୍କା ପୂଜା ଭେଟି ଦିଆଯାଇଛି। ଭୁବନର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଦମ୍ଭୋକ୍ତି ପ୍ରକାଶ କରିବା ସହ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀରେ ୩୧ କୋଟି ଟଙ୍କାର ଚିଠା ତାଲିକା ଦେଖାଇଥିଲେ । ବିଜେପି ନଗରମଣ୍ଡଳ ସଭାପତି ଅଜିତ କୁମାର ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶତ୍ରୁଘ୍ନ ଜେନା କହିଥିଲେ ଯେ, ୨୦୨୪ -୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ଭୁବନ ଏନ୍ ଏ ସି ରେ ବିଭିନ୍ନ ପ୍ରକଳ୍ପ ପାଇଁ ସେ ତାଙ୍କ ବିଧାୟକ ହାତ ପାଣ୍ଠିରୁ ୧ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଏବଂ ୬୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ଭାବେ ମିଳିଛି । ବୁଦ୍ଧେଶ୍ୱର ମନ୍ଦିର ବିକାଶ ପାଇଁ ୧ କୋଟି ୬୨ ଲକ୍ଷ ୧୧ ହଜାର, ନୂତନ ଡାକ୍ତରଖାନା ନିର୍ମାଣ ପାଇଁ ୧୮ କୋଟି ୫୦ ଲକ୍ଷ, ମରାମତି ପାଇଁ ୩ କୋଟି ୮୭ ଲକ୍ଷ, ନୂଆ ବଜାର (ବସଷ୍ଟାଣ୍ଡ)ରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨ କୋଟି, ଡିଜିଟାଲ ଲାଇବ୍ରେରୀ ପାଇଁ ୪୦ ଲକ୍ଷ, ଶ୍ମଶାନର ଉନ୍ନତିକରଣ ଓ ବିଦ୍ୟୁତ୍ ଚୁଲା ପାଇଁ ୫୦ ଲକ୍ଷ,୧୦ଟି ହାଇମାଷ୍ଟ ଲାଇଟ ଓ ଷ୍ଟ୍ରିଟ୍ ଲାଇଟ୍ ପାଇଁ ୩ କୋଟି ଟଙ୍କା ଏହିପରି ସର୍ବମୋଟ ୩୧ କୋଟି ଟଙ୍କା ବିକଶିତ ଭୁବନ ପାଇଁ ପ୍ରଦାନ କରାଯାଇଛି। ଭୁବନ ଏନ୍ ଏ ସି ରେ ୫୨୮୬ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନା, ମଧୁବାବୁ ପେନସନ ଯୋଜନାରେ ୨୪୪୫ ଜଣ ଓ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ୧୦୪୫ ଜଣ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ୫୭୯୮ ଜଣଙ୍କୁ ରାସନ୍ କାର୍ଡ ଓ ୯୯୨ ଜଣ ହିତାଧିକାରୀ ଙ୍କୁ ୨୦୨୫-୨୬ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨-୦ ( ସହରାଞ୍ଚଳ)ରେ ପକ୍କାଘର କାର୍ଯ୍ୟାଦେଶ ଦିଆଯାଇଛି ବୋଲି ନଗରମଣ୍ଡଳ ସଭାପତି ଅଜିତ ବିହାରୀ ସୂଚନା ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ନଗରମଣ୍ଡଳ ସାଧାରଣ ସମ୍ପାଦକ ସନ୍ତୋଷ ରାଉଳ, ଯୁବମୋର୍ଚ୍ଚା ସଭାପତି ନିର୍ମଳ ଗୁରୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଡମ୍ବରୁଧର ପାତ୍ର, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ନିର୍ମଳ ଚନ୍ଦ୍ର ପୋଥାଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଗତି କଅଁର, ପୂର୍ବତନ ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା, ଜିଲ୍ଲା କାର୍ଯ୍ୟକର୍ତ୍ତା ସମୀର କୁମାର ସାହୁଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଗୁଲସନ ରାଉତ, ଜଗନ ବେଜ ଓ ଚିନ୍ମୟ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଭୁବନ ଏନ୍ ଏ ସି ର ବିକାଶ ପାଇଁ ବିଧାୟକଙ୍କ ପ୍ରଚେଷ୍ଟାରେ ୩୧ କୋଟି ଟଙ୍କା ମିଳୁଥିବାରୁ ଏଥି ନିମନ୍ତେ ନଗରମଣ୍ଡଳ ତରଫରୁ ବିଧାୟକ ଶତ୍ରୁଘ୍ନ ଜେନାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ