ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ପୁଞ୍ଜିନିବେଶ ନା ଓଡ଼ିଶାର ପ୍ରାକୃତିକ ସମ୍ପଦ ବିକ୍ରି? — କଂଗ୍ରେସ
ଭୁବନେଶ୍ୱର, ୧୩ ସେପ୍ଟେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚଦିନିଆ ୟୁଏଇ ଗସ୍ତ ପରେ ରାଜ୍ୟ ସରକାର ୨.୪୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଏବଂ ୬ ଲକ୍ଷରୁ ଅଧିକ ନିଯୁକ୍ତିର ସମ୍ଭାବନା ନେଇ ବଡ଼ ସଫଳତାର ଦାବି କରିଛନ୍ତି। ପୁଞ୍ଜିନିବେଶକୁ କଂଗ୍ରେସ ସ୍ୱାଗତ କରେ। କିନ୍ତୁ ଏହି ଗ
ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ପୁଞ୍ଜିନିବେଶ ନା ଓଡ଼ିଶାର ପ୍ରାକୃତିକ ସମ୍ପଦ ବିକ୍ରି? — କଂଗ୍ରେସ


ଭୁବନେଶ୍ୱର, ୧୩ ସେପ୍ଟେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚଦିନିଆ ୟୁଏଇ ଗସ୍ତ ପରେ ରାଜ୍ୟ ସରକାର ୨.୪୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଏବଂ ୬ ଲକ୍ଷରୁ ଅଧିକ ନିଯୁକ୍ତିର ସମ୍ଭାବନା ନେଇ ବଡ଼ ସଫଳତାର ଦାବି କରିଛନ୍ତି।

ପୁଞ୍ଜିନିବେଶକୁ କଂଗ୍ରେସ ସ୍ୱାଗତ କରେ। କିନ୍ତୁ ଏହି ଗସ୍ତ ପୁଞ୍ଜିନିବେଶ ଆଣିବା ପାଇଁ ଥିଲା ନା ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଘରୋଇ କମ୍ପାନୀଙ୍କ ହାତରେ ଟେକି ଦେବା ପାଇଁ—ଏହା ଆଜି ଓଡ଼ିଶାବାସୀଙ୍କ ମନରେ ବଡ଼ ପ୍ରଶ୍ନ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଆରଜିପିଆରଏସର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତକୁ ନେଇ ସରକାରଙ୍କ ପ୍ରଚାରକୁ “ଏକ ନିଷ୍ଠୁର ପ୍ରତାରଣା” ବୋଲି ଅଭିହିତ କରିଛନ୍ତି।

ଏହି ପ୍ରଶ୍ନ ଅଧିକ ଗୁରୁତ୍ୱ ପାଇଛି ୟୁଏଇରେ ଆଇଏଚସି–ଆଦାନୀ ପ୍ରସ୍ତାବକୁ ନେଇ। ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ୧୪ଟି ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ଲୁହାପଥର ପ୍ରକ୍ରିୟାକରଣ, ପେଲେଟାଇଜେସନ୍‌, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଦୁର୍ଲଭ ମୃତ୍ତିକା ଖଣିଜ, କୋଇଲାରୁ ରାସାୟନିକ ଉତ୍ପାଦନ, ପେଟ୍ରୋକେମିକାଲ୍‌, ଖଣିଜ ବ୍ୟବସାୟ ଓ ବନ୍ଦର ସମ୍ପର୍କିତ ପ୍ରକଳ୍ପ ରହିଛି। ୫,୦୦୦ କୋଟି ଟଙ୍କାର କ୍ରିଟିକାଲ୍ ମିନେରାଲ୍ସ ପାର୍କ ଓ ରେୟାର୍ ଆର୍ଥ କରିଡର୍ ଏବଂ ୨୫,୦୦୦ କୋଟି ଟଙ୍କାର ଲୁହାପଥର ପ୍ରକ୍ରିୟାକରଣ ଶୃଙ୍ଖଳ ଏହାର ପ୍ରମୁଖ ଅଂଶ।

ଏହି ପ୍ରସ୍ତାବଗୁଡ଼ିକ ଓଡ଼ିଶାର ଖଣିଜ ସମ୍ପଦ ସହ ସିଧାସଳଖ ଜଡ଼ିତ। ଏପଟେ ସରକାର ଖଣିଜ ବ୍ଲକ୍ ନିଲାମ କରୁଛନ୍ତି, ଅନ୍ୟପଟେ ଖଣିଜ ଭିତ୍ତିକ ବିଶାଳ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସୁଛି। ତେଣୁ ସରକାର ସ୍ପଷ୍ଟ କରିବା ଆବଶ୍ୟକ—ଏହି ପ୍ରକଳ୍ପଗୁଡ଼ିକୁ ଓଡ଼ିଶାର ଖଣିଜ ସମ୍ପଦ ଓ ଖଣି ଲିଜ୍‌ରେ କେଉଁ ପ୍ରକାର ସୁବିଧା ଦିଆଯିବ ଏବଂ ଓଡ଼ିଶା ଏଥିରୁ କ’ଣ ଲାଭ ପାଇବ?

ଶ୍ରୀ ଦାସ କହିଛନ୍ତି, ୟୁଏଇରେ ଘୋଷିତ ୨.୪୩ ଲକ୍ଷ କୋଟି ଟଙ୍କା ବାସ୍ତବ ପୁଞ୍ଜିନିବେଶ ନୁହେଁ, ଏହା ପୁଞ୍ଜିନିବେଶ ପ୍ରତିଶ୍ରୁତି। ତେଣୁ ଏହାକୁ ନେଇ ଅତିରଞ୍ଜିତ ପ୍ରଚାର କରିବା ପରିବର୍ତ୍ତେ ଏହି ପ୍ରସ୍ତାବଗୁଡ଼ିକ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହେବା ଓ ଓଡ଼ିଶାର ସ୍ୱାର୍ଥ କେତେ ସାଧିତ ହେବ ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ।

ଅନ୍ୟପକ୍ଷରେ ସରକାର ଏପର୍ଯ୍ୟନ୍ତ ୨୨.୫୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି ବୋଲି ଦାବି କରୁଛନ୍ତି। ସିଙ୍ଗାପୁର, ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ଆଦି ସ୍ଥାନରେ ପୁଞ୍ଜିନିବେଶ ପାଇଁ ହୋଇଥିବା ପ୍ରୟାସର ପ୍ରକୃତ ଫଳାଫଳ ମଧ୍ୟ ଓଡ଼ିଶାବାସୀ ଜାଣିବାର ଅଧିକାର ରଖନ୍ତି।

ଏହି ୨୨.୫୦ ଲକ୍ଷ କୋଟି ଟଙ୍କାର ଦାବି ଉପରେ ପ୍ରକଳ୍ପୱାରୀ ସ୍ପଷ୍ଟ ହିସାବ ଦେବା ସହ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ କଂଗ୍ରେସ ପୁଣିଥରେ ଦାବି କରୁଛି, ଯାହା ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପୂର୍ବରୁ ଉଠାଇଛନ୍ତି।

ଓଡ଼ିଶାକୁ ପୁଞ୍ଜିନିବେଶ ଦରକାର, କିନ୍ତୁ ଏହାର ଅର୍ଥ କେବଳ ଖଣିଜ ଉତ୍ତୋଳନ ନୁହେଁ। ଓଡ଼ିଶାରେ ମୂଲ୍ୟଯୋଗ, ପ୍ରଯୁକ୍ତି, ସ୍ଥାୟୀ ନିଯୁକ୍ତି ଓ ଦୀର୍ଘମିଆଦୀ ଲାଭ ସୁନିଶ୍ଚିତ ହେବା ଦରକାର। ଏହା ସହିତ ଓଡ଼ିଶାର ପ୍ରାକୃତିକ ପରିବେଶ ଉପରେ ଏହାର କି ପ୍ରକାରର କୁପ୍ରଭାବ ପଡିବ ତାହା ମଧ୍ୟ ସରକାର ସ୍ପଷ୍ଟ କରିବା ଉଚିତ l

“ଓଡ଼ିଶା ପୁଞ୍ଜିନିବେଶକୁ ସ୍ୱାଗତ କରେ। କିନ୍ତୁ ଓଡ଼ିଶାର ଲୋକ ଓ ଭବିଷ୍ୟତ ପିଢ଼ିଙ୍କ ସ୍ୱାର୍ଥକୁ ବଳି ଦେଇ ଓଡ଼ିଶାର ପ୍ରାକୃତିକ ସମ୍ପଦ ବିକ୍ରି କରାଯାଇପାରିବ ନାହିଁ,” ବୋଲି ଶ୍ରୀ ଦାସ କହିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ଏକ ବିଷୟକୁ ନେଇ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande