
ଜୟପୁର, ୧୩ ସେପ୍ଟେମ୍ବର(ହି.ସ.) – କୋରାପୁଟ ଜିଲ୍ଲାର ପବିତ୍ର ଲମତାପୁଟ ମାଟିରେ ଉପାନ୍ତ ଅଂଚଳରେ ଶ୍ରୀକ୍ଷେତ୍ରର ପବିତ୍ର ପରମ୍ପରାକୁ ସାକାର କରିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣର ଶୁଭାରମ୍ଭ ହୋଇଯାଇଛି। ଏହି ପବିତ୍ର ଓ ଐତିହାସିକ ଅବସରରେ ଜୟପୁର ବିଧାୟକ ତଥା କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ସଭାପତି ତାରାପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ସେ ଏହି ମହତ୍ ପୁଣ୍ୟ କାର୍ଯ୍ୟର ଶୁଭାରମ୍ଭ କରିବା ସହ ମନ୍ଦିର ନିର୍ମାଣ କାର୍ଯ୍ୟର ସଫଳତା ନିମନ୍ତେ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।
ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନିର୍ବିଶେଷରେ ଲମତାପୁଟ ଅଂଚଳବାସୀଙ୍କ ଅକୁଣ୍ଠ ଶ୍ରଦ୍ଧା, ଭକ୍ତି ଓ ଭଲପାଇବାରେ ଆମନ୍ତ୍ରିତ ହୋଇ ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ଏକ ପରମ ସୌଭାଗ୍ୟ ଓ ଆତ୍ମିକ ଅନୁଭୂତିବୋଲି ବିଧାୟକ ସୂଚନା ଦେଇଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ବାହିନୀପତି କହିଥିଲେ ଶ୍ରଦ୍ଧା ଓ ଭକ୍ତିର ଠାକୁର, କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ। ଲମତାପୁଟବାସୀଙ୍କ ଆନ୍ତରିକ ଆହ୍ୱାନ ଓ ମହାପ୍ରଭୁ କାଳିଆ ସାଆନ୍ତଙ୍କ ଆଦେଶରେ ଏହି ପବିତ୍ର ମନ୍ଦିର ନିର୍ମାଣ କାର୍ଯ୍ୟରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ସଭାପତି ଭାବେ ସାମିଲ ହେବା ମୋ ଜୀବନର ଏକ ବଡ଼ ସୌଭାଗ୍ୟ। ମହାପ୍ରଭୁଙ୍କ ନାମରେ ସମସ୍ତେ ଏକତ୍ରିତ ହେବା ହିଁ ଆମ ସଂସ୍କୃତି ଓ ସନାତନ ପରମ୍ପରାର ସବୁଠାରୁ ବଡ଼ ଶକ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଏକ ଧର୍ମର ନୁହଁନ୍ତି, ସେ ହେଉଛନ୍ତି ସମସ୍ତଙ୍କ ଆରାଧ୍ୟ, ସମସ୍ତଙ୍କ ଆଶ୍ରୟ ଓ ସମସ୍ତଙ୍କ ବିଶ୍ୱାସର ପ୍ରତୀକ। ତାଙ୍କ ପବିତ୍ର ନାମରେ ଲମତାପୁଟରେ ନିର୍ମାଣ ହେବାକୁ ଯାଉଥିବା ଏହି ଶ୍ରୀମନ୍ଦିର ଆଗାମୀ ଦିନରେ ଶ୍ରଦ୍ଧା, ଭକ୍ତି, ସଦ୍ଭାବନା, ଭାଇଚାରା ଓ ଏକତାର ଏକ ପବିତ୍ର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଏଠାରେ କୋରାପୁଟ ବିଧାୟକ ରଘୁ ରାମ ମାଛ, କେସିିସି ବ୍ୟାଙ୍କ ସଭାପତି ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ, ପୁର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ, ପୂର୍ବତନ ବିଧାୟକ ରଘୁରାମ ପାଡାଲ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି