
ନୂଆଦିଲ୍ଲୀ, ୧୩ ସେପ୍ଟେମ୍ବର (ହି.ସ.)- ଉତର-ପୂର୍ବର ଦୁର୍ଗମ ପାର୍ବତ୍ୟ ରାଜ୍ୟ ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରୁଥିବା ବୈରାବି-ସୈରାଙ୍ଗ ରେଳ ଲାଇନ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟ କରିବାର ଏକ ବର୍ଷ ପୂରଣ କରିଛି । ଗୋଟିଏ ବର୍ଷ ମଧ୍ୟରେ, ଏହି ରେଳ ସଂଯୋଗ ରାଜ୍ୟର ଯାତ୍ରା, ପର୍ଯ୍ୟଟନ ଏବଂ ପରିବହନର ସମ୍ପୂର୍ଣ୍ଣ ଦୃଶ୍ୟପଟକୁ ବଦଳାଇ ଦେଇଛି । ରେଳ ସଂଯୋଗ ଆରମ୍ଭ ହେବା ପରଠାରୁ ରାଜ୍ୟରେ ପର୍ଯ୍ୟଟନ ୮୬ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିଛି ।
ରେଳ ମନ୍ତ୍ରଣାଳୟ କହିଛି ଯେ, ଯାତ୍ରୀ ସେବା କ୍ଷେତ୍ରରେ ଗତ ଏକ ବର୍ଷ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଯାତ୍ରୀ ଏହି ସେବା ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ବର୍ତମାନ ରାଜ୍ୟର ରାଜଧାନୀ ଆଇଜଲ (ସାଇରାଙ୍ଗ) ପ୍ରିମିୟମ ରେଳ ସେବା ଦ୍ୱାରା ସିଧାସଳଖ ଗୌହାଟୀ, କୋଲକାତା ଏବଂ ଦିଲ୍ଲୀ ସହିତ ସଂଯୁକ୍ତ । ସୈରାଙ୍ଗ-ଆନନ୍ଦ ବିହାର ରାଜଧାନୀ ଏକ୍ସପ୍ରେସ ମିଜୋରାମକୁ ଦେଶର ରାଜଧାନୀ ସହିତ ସିଧାସଳଖ ସଂଯୋଗ କରିଛି । ଏହା ବ୍ୟତୀତ, ଜାନୁଆରୀ ୨୦୨୬ ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୈରାଙ୍ଗ-ସିଲଚର ଯାତ୍ରୀବାହୀ ଟ୍ରେନ୍ ଆସାମର ବରାକ ଉପତ୍ୟକାକୁ ନିୟମିତ ସଂଯୋଗ ପ୍ରଦାନ କରୁଛି ।
ଏହି ସମସ୍ତ ଟ୍ରେନ୍ ଗତ ଏକ ବର୍ଷ ମଧ୍ୟରେ ୧,୧୦୦ ରୁ ଅଧିକ ଯାତ୍ରା ସମାପ୍ତ କରିଛି ଏବଂ ସମସ୍ତ ଟ୍ରେନ୍ ୧୦୦ ପ୍ରତିଶତରୁ ଅଧିକ କ୍ଷମତାରେ ଚାଲୁଛି । ସୈରାଙ୍ଗ-ଆନନ୍ଦ ବିହାର ରାଜଧାନୀ ଏକ୍ସପ୍ରେସ୍ ରେ ହାରାହାରି ୧୪୫ ପ୍ରତିଶତ, ସୈରାଙ୍ଗ-କୋଲକାତା ସେବାରେ ୧୪୦ ପ୍ରତିଶତ ଏବଂ ସୈରାଙ୍ଗ-ଗୌହାଟୀ ଟ୍ରେନ୍ ହାରାହାରି ୧୧୦ ପ୍ରତିଶତ ଦଖଲ ରେକର୍ଡ କରିଛି । ଏହି ସେବାଗୁଡ଼ିକ ଟିକେଟ ବିକ୍ରି ଜରିଆରେ ଭାରତୀୟ ରେଳବାଇ ପାଇଁ ୫୪ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି କରିଛି । କେବଳ ସୈରାଙ୍ଗ ଷ୍ଟେସନରେ ଗତ ଏକ ବର୍ଷ ମଧ୍ୟରେ ୫.୫୪ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ ରେକର୍ଡ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ