
ଝାରସୁଗୁଡ଼ା, ୧୩ ସେପ୍ଟେମ୍ବର (ହି.ସ.) - ଗୋଟିଏ ବସ୍ ଖରାପ ହେଲେ ଠପ୍ ହେଉଛି ବ୍ୟବସ୍ଥା, ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭରସା ଦୁଇଟି ବସ୍ । ଝାରସୁଗୁଡ଼ା ଜିଲ୍ଲାର ୩୩ଟି ଗ୍ରାମ ପଂଚାୟତର ଛାତ୍ରଛାତ୍ରୀ ନିର୍ଭର କରୁଥିବା ଲଖନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପରିବହନ ବ୍ୟବସ୍ଥା ଦିନକୁ ଦିନ ଚିନ୍ତାଜନକ ହେବାରେ ଲାଗିଛି। ବସରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ସହ ଘରକୁ ଫେରିବାରେ ବିଳମ୍ବ ହେଉଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପଂଚଗାଁରୁ ଲଖନପୁର ବ୍ଲକସ୍ଥିତ ଆଦର୍ଶ ବିଦ୍ୟାଳୟର ଦୂରତା ୩୦ କିମିରୁ ଅଧିକ। ଏଭଳି ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀ ପ୍ରତିଦିନ ବିଦ୍ୟାଳୟକୁ ଯାତାୟାତ କରୁଥିବା ବେଳେ ବସ୍ ସଂଖ୍ୟା ମଧ୍ୟ ଆବଶ୍ୟକତା ତୁଳନାରେ କମ୍ ରହିଥିବା ଅଭିଯୋଗ ହୋଇଛି। କଣ୍ଢେଇକେଲାରୁ ଭିକମପାଲି ରୁଟ୍ରେ ୪୦ ସିଟ୍ ବିଶିଷ୍ଟ ବସ୍ ଏବଂ ପଂଚଗାଁରୁ କଦମଡିହି ରୁଟ୍ରେ ୩୦ ସିଟ୍ ବିଶିଷ୍ଟ ବସ୍ରେ ୮୦ରୁ ଅଧିକ ଛାତ୍ରଛାତ୍ରୀ ଯାତାୟାତ କରୁଥିବା ଜଣାପଡ଼ିଛି। ଫଳରେ ବସଗୁଡ଼ିକରେ ଅତିରିକ୍ତ ଚାପ ସୃଷ୍ଟି ହେଉଥିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ଅନ୍ୟପକ୍ଷରେ, ବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ନିର୍ମାଣ କାର୍ଯ୍ୟ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ମନ୍ଥର ଗତିରେ ଚାଲିଥିବା ଅଭିଭାବକମାନେ କହିଛନ୍ତି। ହଷ୍ଟେଲ ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେଲେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଯାତାୟାତ ସମସ୍ୟା ବହୁମାତ୍ରାରେ ଦୂର ହୋଇପାରିବ। ତେଣୁ ହଷ୍ଟେଲ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ସେ ପର୍ଯ୍ୟନ୍ତ ଅଧିକ ସ୍କୁଲ ବସ୍ ବ୍ୟବସ୍ଥା କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ଲଖନପୁର ଗୋଷ୍ଠୀ ଶିକ୍ଷାଧିକାରୀ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା। ବିଦ୍ୟାଳୟ ଅଂଚଳରେ ନେଟୱର୍କ ସମସ୍ୟା ଯୋଗୁଁ ବିଦ୍ୟାଳୟ ଅଧ୍ୟକ୍ଷ ରାଜୀବ ପଟେଲଙ୍କ ସହ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ପାଠପଢ଼ାକୁ ଦୃଷ୍ଟିରେ ରଖି ତୁରନ୍ତ ପରିବହନ ବ୍ୟବସ୍ଥା ସୁଧାରିବାକୁ ଅଭିଭାବକ ମହଲରୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ