

ସମ୍ବଲପୁର, ୧୩ ସେପ୍ଟେମ୍ବର (ହି.ସ.)- ସମ୍ବଲପୁରରେ ପୋଲିସର ଏନକାଉଂଟର । ପୋଲିସ ଏନକାଉଂଟରରେ ସିନାପାଲିର କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନ ଆହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ବୁର୍ଲା ଭୀମସାରରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୫ଟା ୪୫ ମିନିଟ୍ ସମୟରେ ସଦର ଥାନା ଅନ୍ତର୍ଗତ ସୁଡୁଙ୍ଗା ଜଙ୍ଗଲର କେନାଲ ରୋଡରେ ପୋଲିସ ଏହି ଏନକାଉଂଟର କରିଛି । ଇରଫାନର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ଭୀମସାରରେ ଭର୍ତି କରାଯାଇଛି । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ୩ଟି ଖାଲି କ୍ୟାଟ୍ରିଜ୍ ଜବତ ହୋଇଛି । ଇରଫାନ ସହିତ ଥିବା ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା କଳା ରଙ୍ଗର ପଲସର ବାଇକ୍ କୁ ପୋଲିସ ଜବତ କରିଛି । ଇରଫାନ ନାମରେ ଡକାୟତି, ଲୁଟ୍, ଚୋରି ଭଳି ୨୪ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି ।
ଇରଫାନ ଓ ତା’ର ଦୁଇ ସହଯୋଗୀ ଭୋର୍ ସମୟରେ ବାଇକ୍ ରେ ଯାଉଥିବା ବେଳେ ପୋଲିସ ସେମାନଙ୍କର ପିଛା କରିଥିଲା । ସଦର ଥାନା ଅନ୍ତର୍ଗତ ସୁଡୁଙ୍ଗା ଜଙ୍ଗଲର କେନାଲ ରୋଡରେ ସଦର ପୋଲିସ ଟିମ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ପୋଲିସ ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ଇରଫାନ୍ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଇରଫାନ ପ୍ରଥମେ ପୋଲିସ ଉପରକୁ ତିନି ରାଉଣ୍ଡ ଫାଇରିଂ କରିଥିଲା । ଏହାର ପାଲଟା ଜବାବରେ ପୋଲିସ ପକ୍ଷରୁ ୨ ରାଉଣ୍ଡ ଫାଇରିଂ କରାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଗୁଳି ଇରଫାନର ବାମ ଗୋଡରେ ବାଜିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ