
ଗଞ୍ଜାମ, ୧୩ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍କଳ ସମ୍ମିଳନୀର ଆଲୋଚନା ସଭାରେ ଗଞ୍ଜାମ ଜିଲ୍ଲାରେ ଥିବା ପ୍ରତ୍ୟେକ ଅନୁଷ୍ଠାନ ଓ ଦୋକାନ ମାନଙ୍କରେ ଓଡ଼ିଆ ଭାଷାରେ ଅଗ୍ରାଧିକାର ଭିତ୍ତିରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖାଯିବା ବାଧ୍ୟତାମୂଳକ କରାଯାଉ ବୋଲି ଆଲୋଚନା କରାଯିବା ସହ ଉପାନ୍ତ ଅଞ୍ଚଳରେ ଆମ ଭାଷା ଅସ୍ମିତାକୁ ବଂଚାଇବା ପାଇଁ ସ୍ବଳ୍ପ ଦରମାରେ କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଯଥାଶୀଘ୍ର ଦରମା ପ୍ରଦାନ କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି। ଉତ୍କଳ ସମ୍ମିଳନୀ ସଭାପତି
ଡଃ. ସୁବ୍ରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ଅତିଥି ଭାବରେ ସ୍ତମ୍ଭକାର କବି ସତ୍ୟନାରାୟଣ ପାଣିଗ୍ରାହୀ, ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ, ଡଃ. ବାୟା ମନୁ ଚର୍ଚ୍ଚି ଏବଂ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସମ୍ପାଦକ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ପ୍ରଦାନ କରି ପ୍ରସ୍ତାବ ଆଗତ କରିଥିଲେ।
ଓଡ଼ିଆ ଭାଷାରେ ନାମ ଫଳକ ଲେଖାଯିବା ପାଇଁ ଗୁରୁତ୍ୱ ଆରୋପ କରାଯାଇ ଜିଲ୍ଲାପାଳ ଗଞ୍ଜାମଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଉପାନ୍ତ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବକେୟା ଦରମା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାରେ ଥିବା ସମସ୍ତ ଜିଲ୍ଲାର ଉତ୍କଳ ସମ୍ମିଳନୀ ଶାଖାକୁ ସମ୍ମିଳିତ କରି ଏଥି ନିମନ୍ତେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ ବୋଲି ମତପ୍ରକାଶ ପାଇବା ସହ ତୃଟି ସଂଶୋଧିତ ପାଠ୍ୟପୁସ୍ତକ ଯଥାଶୀଘ୍ର ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉ ବୋଲି ଅନୁଷ୍ଠିତ ସଭାରେ ଦାବି କରାଯାଇଛି। ଅନୁଷ୍ଠିତ ସଭାରେ ଜିଲ୍ଲା ପ୍ରତିନିଧି ଡାକ୍ତର ସମରେନ୍ଦ୍ର କୁମାର ସାହୁଙ୍କ ସମେତ ରାଜ କିଶୋର ସ୍ବାଇଁ, ଭାସ୍କର ବେହେରା କପିଳ ମହାନ୍ତି, ତ୍ରିନାଥ ନାୟକ, ମହମ୍ମଦ ଆସଲାମ, ମହେନ୍ଦ୍ର କୁମାର ବେହେରା, ସୂର୍ଯ୍ୟକାନ୍ତ ପାତ୍ର, କୁମାର କାର୍ତ୍ତିକେଶ୍ବର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ ଆଲୋଚନାରେ ନିଜ ମତାମତ ଉପସ୍ଥାପନ କରି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ