ଏସ୍ଏଚ୍-୧୦ରେ ବିପଦ ଡାକୁଛି ରାସ୍ତାକଡ଼ର ବାଲି
Sand on the roadside poses a danger on SH-10
ଏସ୍ଏଚ୍-୧୦ରେ ବିପଦ ଡାକୁଛି ରାସ୍ତାକଡ଼ର ବାଲି


ଝାରସୁଗୁଡ଼ା, ୧୩ ସେପ୍େଟମ୍ବର (ହି.ସ.) - ଝାରସୁଗୁଡ଼ାରୁ ସମ୍ବଲପୁରକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ (ଏସ୍ଏଚ୍-୧୦) ଏବେ ଯାତ୍ରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ରାସ୍ତାକଡ଼ରେ ଜମି ରହିଥିବା ବାଲି ସାଙ୍ଗକୁ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଥିବା ଅଭିଯୋଗ ହୋଇଛି।

ଖଣି ଓ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲା ଦେଇ ଯାଇଥିବା ଏହି ରାଜପଥରେ ପ୍ରତିଦିନ ହଜାର ହଜାର କୋଇଲା, ବାଲି ଓ ପାଉଁଶ ବୋଝେଇ ଟ୍ରକ୍ ସମେତ ଅନ୍ୟାନ୍ୟ ଭାରିଯାନ ଏବଂ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି। ତେବେ ରାସ୍ତା ମରାମତି ଓ ପିଚୁ କାମ କରୁଥିବା ସଂସ୍ଥାର ଅବହେଳା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରାୟ ଫୁଟେ ଉଚ୍ଚର ବାଲି ଜମି ରହିଛି। ଫଳରେ ରାସ୍ତାର ଚଉଡ଼ା କମିବା ସହ ଯାତାୟାତ ବାଧାପ୍ରାପ୍ତ ହେଉଛି।

ବିଶେଷକରି ଦୁଇଚକିଆ ଓ ସାଇକେଲ ଚାଳକଙ୍କ ପାଇଁ ରାସ୍ତାକଡ଼ରେ ଜମିଥିବା ବାଲି ବିପଦ ସୃଷ୍ଟି କରୁଛି। ଚକା ବାଲି ଉପରକୁ ଚଢ଼ିଗଲେ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତା ମଝିକୁ ଚାଲିଆସୁଛନ୍ତି। ଏହି ସମୟରେ ପଛପଟୁ ଆସୁଥିବା ଭାରିଯାନ ସହ ଧକ୍କା ହୋଇ ଦୁର୍ଘଟଣା ଘଟିବାର ଆଶଙ୍କା ବଢ଼ିଛି। ରାସ୍ତାକଡ଼ରୁ ନିୟମିତ ବାଲି ସଫା କରାଯାଉନଥିବାରୁ ନିରୀହ ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଅନ୍ୟପକ୍ଷରେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା, ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ, ହେଲମେଟ ଓ ସିଟ୍ୱେଲ୍ଟ ବ୍ୟବହାର ନକରିବା, ବିପରୀତ ଦିଗରେ ଗାଡ଼ି ଚଳାଇବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର ଭଳି ନିୟମ ଉଲ୍ଲଂଘନ ମଧ୍ୟ ଦୁର୍ଘଟଣା ବୃଦ୍ଧିର ଅନ୍ୟତମ କାରଣ ବୋଲି ଜିଲ୍ଲାର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ନିୟମିତ ସଚେତନତା ବୈଠକ ଓ ଅଭିଯାନ କରାଯାଉଥିଲେ ମଧ୍ୟ ଦୁର୍ଘଟଣା ଉପରେ ରୋକ୍ ଲାଗୁନାହିଁ। ତେଣୁ ଏସ୍ଏଚ୍-୧୦ର ରାସ୍ତାକଡ଼ରେ ଜମିଥିବା ବାଲିକୁ ତୁରନ୍ତ ସଫା କରିବା ସହ ଯାତାୟାତକୁ ସୁରକ୍ଷିତ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

ଏ ସମ୍ପର୍କରେ ଆର୍ଟିଓ ଗୌରହରି ହାଁସଦାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande