ନିର୍ମାଣ ଆରମ୍ଭର ୩ ବର୍ଷ ପରେ ବି ଅଧପନ୍ତରିଆ ହଷ୍ଟେଲ
Three years after construction began, the hostel still remains incomplete
ନିର୍ମାଣ ଆରମ୍ଭର ୩ ବର୍ଷ ପରେ ବି ଅଧପନ୍ତରିଆ ହଷ୍ଟେଲ


ଝାରସୁଗୁଡ଼ା, ୧୩ ସେପ୍ଟେମ୍ବର (ହି.ସ.) - ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଶେଷ ହୋଇପାରୁନାହିଁ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଗୃହ। ନିର୍ମାଣ କାମ ଦୀର୍ଘଦିନ ଧରି ଅଧପନ୍ତରିଆ ଭାବେ ପଡ଼ିରହିଥିବାରୁ ଏହାର ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିପାରୁନାହିଁ। ଫଳରେ ବିଦ୍ୟାଳୟର ପ୍ରାୟ ୪ ଶହ ଛାତ୍ରଛାତ୍ରୀଙ୍କ ଯାତାୟାତ ନେଇ ଘୋର ସମସ୍ୟା ଦେଖାଦେଇଛି।

ସୂଚନା ଅନୁଯାୟୀ, ପତ୍ରାପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଓ ଗ୍ରାମାଂଚଳର ପରିବାରରୁ ଆସିଥାନ୍ତି। ଦୂରଦୂରାନ୍ତରୁ ପିଲାମାନେ ବିଦ୍ୟାଳୟକୁ ଆସୁଥିବା ବେଳେ ହଷ୍ଟେଲ ଗୃହ ନିର୍ମାଣ ଶେଷ ହୋଇ ନଥିବାରୁ ସେମାନଙ୍କ ଯାତାୟାତ ଓ ରହଣିକୁ ନେଇ ଅଭିଭାବକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି।

ହଷ୍ଟେଲ ଗୃହର ଛାତ ପଡ଼ିବା ସହ ରଙ୍ଗ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇସାରିଛି। ତେବେ ଗୃହର ଭିତର ଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଏବେ ସୁଦ୍ଧା ଅସମ୍ପୂର୍ଣ୍ଣ ରହିଛି। ବିଶେଷକରି ମାର୍ବଲ ପକାଇବା, ବିଦ୍ୟୁତ୍ ୱାୟାରିଂ ଏବଂ ପାଣି ପାଇପ୍ ୱାୟାରିଂ ଭଳି ଆବଶ୍ୟକୀୟ କାର୍ଯ୍ୟ ଶେଷ ହୋଇନାହିଁ। ବାହାର ଭାଗର କାମ ଅନେକାଂଶରେ ସରିଥିଲେ ମଧ୍ୟ ଭିତରର ଏହି ମୌଳିକ କାମଗୁଡ଼ିକ ଅଧାରେ ଅଟକି ରହିବା ଯୋଗୁଁ ହଷ୍ଟେଲଟି ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ଉପଯୋଗୀ ହୋଇପାରୁନାହିଁ।

ଏପଟେ ହଷ୍ଟେଲ ଅଭାବରୁ ଦୂରଦୂରାନ୍ତର ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ବିଦ୍ୟାଳୟକୁ ଯିବାଆସିବା କରିବାକୁ ପଡ଼ୁଛି। ଯାତାୟାତ ବ୍ୟବସ୍ଥା ସୁବିଧାଜନକ ନଥିବା ଅଂଚଳରୁ ଆସୁଥିବା ପିଲାଙ୍କ ପାଇଁ ଏହି ସମସ୍ୟା ଆହୁରି ଗୁରୁତର ହୋଇପଡ଼ିଛି। ଗରିବ ଓ ଗ୍ରାମାଂଚଳର ପରିବାରର ପିଲାମାନଙ୍କ ଶିକ୍ଷାକୁ ସହଜ କରିବା ଉଦ୍ଦେଶ୍ୟରେ ଆଦର୍ଶ ବିଦ୍ୟାଳୟ ଭଳି ଅନୁଷ୍ଠାନ ଖୋଲାଯାଇଥିବା ବେଳେ ହଷ୍ଟେଲ ନିର୍ମାଣରେ ଏଭଳି ବିଳମ୍ବ ପ୍ରଶ୍ନ ସୃଷ୍ଟି କରିଛି।

ତିନି ବର୍ଷ ଧରି ନିର୍ମାଣାଧୀନ ଥିବା ଏହି ହଷ୍ଟେଲ ଗୃହର ଅବଶିଷ୍ଟ କାମ କେବେ ସରିବ ଏବଂ କେବେ ଏହା ଛାତ୍ରଛାତ୍ରୀଙ୍କ ବ୍ୟବହାରରେ ଆସିବ, ତାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଅଧପନ୍ତରିଆ କାର୍ଯ୍ୟକୁ ଶୀଘ୍ର ଶେଷ କରି ହଷ୍ଟେଲଟିକୁ ଛାତ୍ରଛାତ୍ରୀଙ୍କ ଉପଯୋଗରେ ଆଣିବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande