ଲଖନପୁରର ୧୩ ବ୍ଲକଗ୍ରାଂଟ ହାଇସ୍କୁଲରେ ଖାଲି ପଦବୀ
Vacant Posts in 13 Block-Grant High Schools in Lakhanpur
ଲଖନପୁରର ୧୩ ବ୍ଲକଗ୍ରାଣ୍ଟ ହାଇସ୍କୁଲରେ ଖାଲି ପଦବୀ


ଝାରସୁଗୁଡ଼ା, ୧୩ ସେପ୍ଟେମ୍ବର (ହି.ସ.) - ସ୍ଥାୟୀ ନିଯୁକ୍ତି ଅଭାବରୁ ଅତିଥି ଶିକ୍ଷକଙ୍କ ଭରସା, ଆଗକୁ ୩୦ରୁ ୪୦% ଅବସର ନେବା ଆଶଙ୍କା ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ନିଜ ଅଂଚଳରେ ଗୁଣାତ୍ମକ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ପ୍ରତିଷ୍ଠିତ ବ୍ଲକଗ୍ରାଂଟ ହାଇସ୍କୁଲଗୁଡ଼ିକ ଏବେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଅଭାବରେ ଜର୍ଜରିତ। ଲଖନପୁର ବ୍ଲକର ୧୪ଟି ବ୍ଲକଗ୍ରାଂଟ ହାଇସ୍କୁଲ ମଧ୍ୟରୁ ୧୩ଟି ବିଦ୍ୟାଳୟରେ ବିଭିନ୍ନ ବିଷୟର ଶିକ୍ଷକ ଓ କର୍ମଚାରୀ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି। ଖାଲି ପଦବୀ ପୂରଣ ନ ହେବା ଯୋଗୁଁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିଛି।

ମିଳିଥିବା ସୂଚନା ଅନୁସାରେ, କଣ୍ଡେଇକେଲା ନଟବର ହାଇସ୍କୁଲ, ଧୁଲୁଣ୍ଡା ଆଚାର୍ଯ୍ୟ ମୂରଲୀଧର ହାଇସ୍କୁଲ, ପଂଚଗାଁ ଦେବକୀ ଦେବୀ ବାଳିକା ହାଇସ୍କୁଲ, ଜାମଗାଁ ଆଂଚଳିକ ହାଇସ୍କୁଲ, କତରବଗା କ୍ଷମାନିଧି ଭୋଇ ହାଇସ୍କୁଲ, ସମରବଗା ପଂଚାୟତ ହାଇସ୍କୁଲ, ବାଘମୁଣ୍ଡା ପଂଚାୟତ ହାଇସ୍କୁଲ, ଖଏରକୁନି ଆଂଚଳିକ ହାଇସ୍କୁଲ, ଚାରପାଲି-ବରପାଲି ରମ୍ପେଲା ହାଇସ୍କୁଲ, ଗୁଢ଼ିଆଲି ଭଗବାନ ପୃଷେଟ ହାଇସ୍କୁଲ, ଛୁଆଲିବେର୍ଣ୍ଣା ନରସିଂହ ହାଇସ୍କୁଲ ଓ ରେମଣ୍ଡା ହାଇସ୍କୁଲ ସମେତ ୧୩ଟି ବିଦ୍ୟାଳୟରେ ଗଣିତ, ବିଜ୍ଞାନ, କଳା, ହିନ୍ଦୀ, ସଙ୍ଗୀତ ଓ କ୍ରୀଡ଼ା ଭଳି ବିଷୟରେ ଶିକ୍ଷକ ପଦବୀ ଖାଲି ରହିଛି। ଏଥିସହ କିରାଣୀ, ପିଅନ ଓ ରାତ୍ର ଜଗୁଆଳି ଭଳି ଅଣଶିକ୍ଷକ ପଦବୀ ମଧ୍ୟ ପୂରଣ ହୋଇନାହିଁ।

ବର୍ଷକୁ ବର୍ଷ ଶିକ୍ଷକ ଓ କର୍ମଚାରୀ ଅବସର ନେଉଥିଲେ ମଧ୍ୟ ସେହି ଖାଲି ପଦବୀରେ ସ୍ଥାୟୀ ନିଯୁକ୍ତି ହେଉନାହିଁ। ଫଳରେ ଅନେକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ପାଠପଢ଼ା ବ୍ୟବସ୍ଥା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ସ୍ଥାୟୀ ନିଯୁକ୍ତି ବଦଳରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରି ଶିକ୍ଷାଦାନ ବ୍ୟବସ୍ଥା ଚଳାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ସମସ୍ୟାର ସ୍ଥାୟୀ ସମାଧାନ ନ ହୋଇ ବିଦ୍ୟାଳୟଗୁଡ଼ିକ ଅସ୍ଥାୟୀ ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି।

ଆହୁରି ଚିନ୍ତାଜନକ ବିଷୟ ହେଉଛି, ଆସନ୍ତା ୨୦୨୭-୨୮ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟଗୁଡ଼ିକର ପ୍ରାୟ ୩୦ରୁ ୪୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀ ଅବସର ନେବେ ବୋଲି ଜଣାପଡ଼ିଛି। ବର୍ତମାନ ହିଁ ବହୁ ପଦବୀ ଖାଲି ଥିବା ବେଳେ ଆଗାମୀ ଦିନରେ ଏତେ ସଂଖ୍ୟକ କର୍ମଚାରୀ ଅବସର ନେଲେ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା କିଭଳି ଚାଲିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ବ୍ଲକଗ୍ରାଂଟ ଶିକ୍ଷକମାନଙ୍କ ମଧ୍ୟରେ ୟୁପିଏସ୍, ଏନ୍ପିଏସ୍, ଇଏଲ୍, ଏଚ୍ଆଏର୍ ଓ ପୁରୁଣା ପେନସନ ଭଳି ବିଭିନ୍ନ ସୁବିଧାକୁ ନେଇ ଅସନ୍ତୋଷ ରହିଥିବା ଶିକ୍ଷକ ମହଲରୁ ଜଣାପଡ଼ିଛି। ଦୀର୍ଘବର୍ଷ ଶିକ୍ଷାଦାନ କରିବା ପରେ ଅବସର ସମୟରେ ଆର୍ôଥକ ସୁରକ୍ଷା ନେଇ ଅନିଶ୍ଚିତତା ରହିବା ଚିନ୍ତାଜନକ ବୋଲି ଶିକ୍ଷକମାନେ ମତ ଦେଇଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ନିଜସ୍ୱ ଭାବେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବାର କ୍ଷମତା ନଥିବାରୁ ମଧ୍ୟ ଖାଲି ପଦବୀ ପୂରଣ ହୋଇପାରୁନଥିବା କୁହାଯାଉଛି।

ଗ୍ରାମାଂଚଳର ପିଲାଙ୍କୁ ନିଜ ଅଂଚଳରେ ଶିକ୍ଷାର ସୁଯୋଗ ଦେବା ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ପ୍ରତି ପଂଚାୟତରେ ହାଇସ୍କୁଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଥିଲା। ମାତ୍ର ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ଅଭାବରୁ ଏହି ଉଦ୍ଦେଶ୍ୟ ଏବେ ପ୍ରଶ୍ନବାଚୀ ହୋଇଛି।

ଏଭଳି ସ୍ଥିତିରେ ଲଖନପୁର ବ୍ଲକର ୧୩ଟି ବ୍ଲକଗ୍ରାଂଟ ହାଇସ୍କୁଲର ସମସ୍ତ ଖାଲି ପଦବୀ ତୁରନ୍ତ ପୂରଣ, ସ୍ଥାୟୀ ଶିକ୍ଷକ ନିଯୁକ୍ତି, ବ୍ଲକଗ୍ରାଂଟ ଶିକ୍ଷକଙ୍କ ଚାକିରି ସୁରକ୍ଷା, ପେନସନ ଓ ଅବସରକାଳୀନ ସୁବିଧା ନେଇ ସ୍ପଷ୍ଟ ନୀତି ପ୍ରଣୟନ ପାଇଁ ଅଂଚଳବାସୀ ଦାବି କରିଛନ୍ତି। କେବଳ ଅତିଥି ଶିକ୍ଷକଙ୍କ ଉପରେ ନିର୍ଭର କରି ଗ୍ରାମାଂଚଳର ଶିକ୍ଷା ବ୍ୟବସ୍ଥାକୁ ଚଳାଇଲେ ଆଗାମୀ ଦିନରେ ସମସ୍ୟା ଆହୁରି ଗମ୍ଭୀର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande