

ଜୟପୁର, ୧୩ ସେପ୍ଟେମ୍ବର(ହି.ସ.) – ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମା ଅଂଚଳରେ ସାବେରୀ ନଦୀ ଉପରେ ପ୍ରସ୍ତାବିତ ପୋଲ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ବିଳମ୍ବିତ ହୋଇଥିବା ନେଇ ଅସନ୍ତୋଷ ବଢ଼ିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଓ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି।
ପୋଲ ନଥିବାରୁ ତେନ୍ତୁଳିଗୁମ୍ମା ସମେତ ଆଖପାଖ ଅଂଚଳର ଲୋକମାନେ ବୈପାରିଗୁଡ଼ାକୁ ଯିବାପାଇଁ ମାଲକାନଗିରି ଜିଲ୍ଲା ଦେଇ ପ୍ରାୟ ୬୦ରୁ ୭୦ କିଲୋମିଟର ଅତିରିକ୍ତ ଯାତ୍ରା କରୁଛନ୍ତି। ପ୍ରସ୍ତାବିତ ପୋଲ ନିର୍ମାଣ ହେଲେ ଦୂରତା ପ୍ରାୟ ୩୦ କିଲୋମିଟରକୁ ହ୍ରାସ ପାଇବା ସହ ଯାତାୟାତ ସୁବିଧା ବୃଦ୍ଧି ପାଇବ। ଏହାଦ୍ୱାରା ଛାତ୍ରଛାତ୍ରୀ, ରୋଗୀ, ବୃଦ୍ଧବୃଦ୍ଧା, ଚାଷୀ ଓ ସାଧାରଣ ଲୋକଙ୍କୁ ବହୁ ଉପକାର ମିଳିବ। ବର୍ଷା ଋତୁରେ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନଦୀ ପାର ହେବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ୁଛି। ଫଳରେ ଲୋକଙ୍କ ଜୀବନ ଓ ଯାତାୟାତ ଉଭୟ ପ୍ରଭାବିତ ହେଉଛି। ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ସହ ଜଡ଼ିତ ଏହି ଅଂଚଳର ବିକାଶ ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ପୋଲଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ବିଳମ୍ବର କାରଣ ତଦନ୍ତ କରି ଦାୟୀ ବିଭାଗକୁ ତୁରନ୍ତ ପଦକ୍ଷେପ ନେବା ସହ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ଏହି ସମ୍ବେଦନଶୀଳ ସମସ୍ୟାର ସମାଧାନ ପାଇଁ ସାମାଜିକ କର୍ମୀ କାମାକ୍ଷା ପ୍ରସାଦ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପତ୍ର ମାଧ୍ୟମରେ ସେ ପ୍ରକଳ୍ପ ବିଳମ୍ବର କାରଣ ଖୋଜିବା ପାଇଁ ବିଭାଗୀୟ ତଦନ୍ତ, ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଦାବି କରିଛନ୍ତି।
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ତେନ୍ତୁଳିଗୁମ୍ମା ଠାରେ ବିଜୁ ସେତୁ ଯୋଜନାରେ ଗତ ୨୦୨୧ ମସିହାରେ ୧୪ କୋଟି ଟଙ୍କା ବ୍ୟୟରେ ବ୍ରିଜ କାର୍ଯ୍ୟ ଆରମ୍ଭ ହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁ ନାହିଁ। ପ୍ରଶାସନର ଉଦାସୀନତା ହେତୁ ଏହି ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଯାହାକୁ ନେଇ ବାରମ୍ବାର ସକାଳରେ ଖବର ପ୍ରସାରଣ ପରେ ଗତ କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜାନ, ସାଂସଦ ବଳଭଦ୍ର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ଦଣ୍ଡାବାଡ଼ି ମାଟି ରାସ୍ତା ଦେଇ ତେନ୍ତୁଳିଗୁମ୍ମା ଠାରେ ପହଂଚି ଥିଲେ। ସ୍ଥିତି ଅନୁଧ୍ୟାନ କରିଥିଲେ ଆଉ ଅତିଶୀଘ୍ର ପୋଲ ନିର୍ମାଣ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ତାଗିଦ କରିଛନ୍ତି। କିନ୍ତୁ ନିର୍ମାଣ କାର୍ଯ୍ୟରେ କୌଣସି ଉନ୍ନତି ଦେଖା ଦେଉନାହିଁ। ଠିକାଦାରଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାମାଜିକ କର୍ମୀ କାମାକ୍ଷା ପ୍ରସାଦ ମାଝୀ ଅଭିଯୋଗ ଆଣିଛନ୍ତି। ଆଉ ତେନ୍ତୁଳିଗୁମ୍ମା ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସୂଚନା ଥାଉକି, ପୋଲ ନଥିବାରୁ ତେନ୍ତୁଳିଗୁମ୍ମା ସମେତ ଆଖପାଖ ଅଂଚଳର ଲୋକମାନେ ବୈପାରିଗୁଡ଼ାକୁ ଯିବାପାଇଁ ମାଲକାନଗିରି ଜିଲ୍ଲା ଦେଇ ପ୍ରାୟ ୬୦ରୁ ୭୦ କିଲୋମିଟର ଅତିରିକ୍ତ ଯାତ୍ରା କରୁଛନ୍ତି। ପ୍ରସ୍ତାବିତ ପୋଲ ନିର୍ମାଣ ହେଲେ ଦୂରତା ପ୍ରାୟ ୩୦ କିଲୋମିଟରକୁ ହ୍ରାସ ପାଇବା ସହ ଯାତାୟାତ ସୁବିଧା ବୃଦ୍ଧି ପାଇବ। ଏହାଦ୍ୱାରା ଛାତ୍ରଛାତ୍ରୀ, ରୋଗୀ, ବୃଦ୍ଧବୃଦ୍ଧା, ଚାଷୀ ଓ ସାଧାରଣ ଲୋକଙ୍କୁ ବହୁ ଉପକାର ମିଳିବ।
ସାବରୀ ନଦୀ ଆରୋପଟେ ଥିବା ସାତଖଣ୍ଡ ଗାଁ ଲୋକେ ନୀତି ସଙ୍ଘର୍ଷ କରୁଛନ୍ତି। ଏଠାରେ ଭରା ନଈ ପାର ହେବା ପାଇଁ ଦେଶୀ ଡ଼ଙ୍ଗା ଏକ ମାତ୍ର ଭରସା। ଜୀବନଙ୍କୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଡ଼ଙ୍ଗାରେ ନଦୀ ପାର ହେଉଛନ୍ତି। ଭଙ୍ଗା ଡ଼ଙ୍ଗାରେ ପାଣି ଭରିଯାଉଛି। ତଥାପି ବାଧ୍ୟହୋଇ ନଦୀ ପାର ହେବାକୁ ପଡ଼ୁଛି। ଫଳରେ ତେନ୍ତୁଳିଗୁମ୍ମା ନଦୀ ଆରୋପଟେ ଥିବା ୬ ଖଣ୍ଡ ଗାଁ ତଥା ଭେଜିନିଗୁଡ଼ା, ମାଛକ୍ଷଗୁଡ଼ା, ମାଟିଗୁଡ଼ା, କଂଟା ବାଉଁସିଆଗୁଡ଼ା, ମାଙ୍କଡ଼ପାଣି ଆଦି ଗାଁରେ ଆଜି ବି ପାନୀୟ ଜଳ, ବିଜୁଳି ଆଲୁଅ, ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ପହଂଚି ପାରୁନି। ବୃହତ ଜନସ୍ୱାର୍ଥ ତଥା ଶହୀଦଙ୍କ ପବିତ୍ର ଭୂମିର ବିକାଶ ପାଇଁ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି