
କୋଲକାତା, ୧୭ ସେପ୍ଟେମ୍ବର(ହି.ସ.) – ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ(ଓଏଚ୍ସିଏଚ୍ଆର୍) ଅଧୀନରେ ସଂଖ୍ୟାଲଘୁ ବ୍ୟାପାର ଉପରେ ସ୍ୱତନ୍ତ୍ର ରିପୋର୍ଟର ପ୍ରଫେସର ନିକୋଲାସ୍ ଲିଭେରାଟ୍ଙ୍କୁ ଚିଠି ଲେଖି ବରିଷ୍ଠ ମୁସଲମାନ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଏବଂ ଭାରତୀୟ ପୋଲିସ ସେବା(ଆଇପିଏସ୍) ଅଧିକାରୀମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସହିତ ଜଡ଼ିତ ସରକାରୀ କାର୍ଯ୍ୟକ୍ରମରୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଏହି ସୂଚନା ସାମ୍ନାକୁ ଆସିଛି।
ମହୁଆ ମୋଇତ୍ରା ତାଙ୍କ ଚିଠିରେ ଅଭିଯୋଗ କରିଛନ୍ତି ଯେ ଜୁଲାଇ ଏବଂ ଅଗଷ୍ଟରେ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତିନୋଟି ପୃଥକ ଅବସରରେ ମୁସଲମାନ ଅଧିକାରୀମାନଙ୍କୁ ସରକାରୀ ବୈଠକ ଏବଂ କାର୍ଯ୍ୟକ୍ରମରୁ ବାଦ ଦିଆଯାଇଥିଲା କିମ୍ବା ସେଗୁଡ଼ିକରେ ଯୋଗ ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସିଲିଗୁଡ଼ି ପୋଲିସ କମିଶନର ୱାକର ରାଜା, ପଶ୍ଚିମବଙ୍ଗ ପୋଲିସ ଏସ୍.ଟି.ଏଫ୍. ମୁଖ୍ୟ ଜାଭେଦ ଶାମିମ ଏବଂ ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀ ଖଲିଲ ଅହମ୍ମଦଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।
ତୃଣମୂଳ ସାଂସଦଙ୍କ କହିବା ଅନୁଯାୟୀ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ୱାକର ରାଜାକୁ ରିସେପ୍ସନ ଲାଇନରୁ ହଟାଇ ଦିଆଯାଇଥିଲା, ଜାଭେଦ ଶାମିମଙ୍କୁ ସମ୍ପୃକ୍ତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନଥିଲା ଏବଂ ଖଲିଲ ଅହମ୍ମଦଙ୍କୁ ଏକ ବୈଠକ ଛାଡ଼ି ଯିବାକୁ କୁହାଯାଇଥିଲା। ମୋଇତ୍ରା ଦାବି କରିଛନ୍ତି ଯେ ଅନ୍ୟ ଧର୍ମର ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା। ତେବେ ବର୍ତମାନ ସୁଦ୍ଧା ଏହି ଅଭିଯୋଗଗୁଡ଼ିକର କୌଣସି ସ୍ୱାଧୀନ ପ୍ରମାଣ ନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି