
ନୂଆଦିଲ୍ଲୀ, ୧୭ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ବିଶ୍ୱକୁ ନୂଆ ଏବଂ ବିଶ୍ୱସନୀୟ ସ୍ଥାନର ଆବଶ୍ୟକତା ଅନୁଭବ ହେଉଛି ଏବଂ ଭାରତ ଏହି ସୁଯୋଗ ପାଇଁ ନିଜକୁ ନିରନ୍ତର ପ୍ରସ୍ତୁତ କରୁଛି। ସେ କହିଛନ୍ତି ଯେ ଭାରତ ସେମିକଣ୍ଡକ୍ଟର ନିର୍ମାଣର ପସନ୍ଦର ଗନ୍ତବ୍ୟସ୍ଥଳ ହେବା ଦିଗରେ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ନେଉଛି।
ପ୍ରଧାନମନ୍ତ୍ରୀ ଏଠାରେ ଯଶୋଭୂମିରେ ସେମିକନ ଇଣ୍ଡିଆ-୨୦୨୬ର ଉଦଘାଟନ କରି କହିଛନ୍ତି ଯେ ଭାରତ ସେମିକଣ୍ଡକ୍ଟର ମିଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିସାରିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଆଠ ବିଲିୟନ ଡଲାର ବ୍ୟୟର ଯୋଜନା ଥିଲା, ଯାହାକୁ ଦ୍ୱିତୀୟ ପର୍ଯ୍ୟାୟରେ ବଢ଼ାଇ ୧୩.୫ ବିଲିୟନ ଡଲାର କରାଯାଇଛି। ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ନୀତି ଉପରେ ଆଲୋଚନା ହୋଇଥିଲା, ପରବର୍ତୀ ପର୍ଯ୍ୟାୟଗୁଡ଼ିକରେ ପାଇଲଟ ଲାଇନ ଏବଂ ପରୀକ୍ଷଣ ଦିଗରେ ପ୍ରଗତି ହୋଇଥିଲା ଏବଂ ଏବେ ଭାରତ ବାଣିଜ୍ୟିକ ଉତ୍ପାଦନର ପର୍ଯ୍ୟାୟରେ ପହଂଚିିଛି।
ମୋଦୀ କହିଛନ୍ତି ଯେ ମୋହାଲି ଏବଂ ସୁରତରେ ଦୁଇଟି ସେମିକଣ୍ଡକ୍ଟର କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି ଏବଂ ଭାରତରେ ନିର୍ମିତ ଚିପ୍ ଏବେ ଦେଶ ସହିତ ବିଶ୍ୱର ଗ୍ରାହକମାନଙ୍କ ପାଖରେ ମଧ୍ୟ ପହଂଚୁଛି। ସେ କହିଛନ୍ତି ଯେ ସେମିକଣ୍ଡକ୍ଟର କ୍ଷେତ୍ରରେ କୌଣସି ଦେଶକୁ ଏହି ସ୍ଥାନରେ ପହଂଚାଇବା ସହଜ ହୋଇନଥାଏ, କାରଣ କାରଖାନା ସ୍ଥାପନ ହେବା ସହିତ ଉତ୍ପାଦନ ଆରମ୍ଭ ହୋଇଯାଏ ନାହିଁ। ଏଥିପାଇଁ ବୈଷୟିକ କ୍ଷମତା ଏବଂ ବିଶେଷଜ୍ଞତା ବିକଶିତ କରିବାରେ ଦୀର୍ଘ ସମୟ ଲାଗେ।ପ୍ରଧାନମନ୍ତ୍ରୀ ଶିଳ୍ପ ଜଗତକୁ ଏହି ଯାତ୍ରାରେ ସକ୍ରିୟ ଭାଗୀଦାରି ଜାରି ରଖିବାକୁ ଆହ୍ୱାନ କରିଛନ୍ତି।
ସେ କହିଛନ୍ତି ଯେ ଭାରତର ଲକ୍ଷ୍ୟ ଫ୍ୟାବଲେସ କମ୍ପାନୀଗୁଡ଼ିକର ବୃଦ୍ଧି ଏବଂ ବୌଦ୍ଧିକ ସମ୍ପଦର ସୃଷ୍ଟିକୁ ଦେଶରେ ପ୍ରୋତ୍ସାହନ ଦେବା। ବିଭିନ୍ନ ପ୍ରକାରର କମ୍ପାଉଣ୍ଡ ସେମିକଣ୍ଡକ୍ଟର, ସିଲିକନ ଫୋଟୋନିକ୍ସ ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଭିତିଭୂମି ପାଇଁ ଆବଶ୍ୟକ ପ୍ରଯୁକ୍ତିର ବିକାଶ ଉପରେ ମଧ୍ୟ ଜୋର ଦିଆଯାଉଛି। ମୋଦୀ କହିଛନ୍ତି ଯେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଭାରତର ପ୍ରାଥମିକତା ମଧ୍ୟରେ ସାମିଲ ଅଛି ଏବଂ ଏହି ଦିଗରେ ଅନେକ ସଂସ୍କାର କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୨ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇସାରିଛି ଏବଂ ପରବର୍ତୀ ପର୍ଯ୍ୟାୟରେ ଏହାର ପରିସର ଆହୁରି ବଢ଼ାଯିବ। ସେ ରାସାୟନିକ ପଦାର୍ଥ ଏବଂ ଗ୍ୟାସ ସମେତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସହ ଜଡ଼ିତ କ୍ଷେତ୍ରର କମ୍ପାନୀଗୁଡ଼ିକୁ ମଧ୍ୟ ଭାରତରେ ଉପଲବ୍ଧ ସୁଯୋଗର ଲାଭ ଉଠାଇବାକୁ ଅନୁରୋଧ କରିଛନ୍ତି।
---------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ