ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୧୮ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଳି ବିଧାୟକ
--------------- ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ


କେନ୍ଦ୍ରାପଡ଼ା, ୧୮ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଳି ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭୀଷ୍ମ ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୁନାକାର ବେହେରାଙ୍କ ସମେତ ଜିଲ୍ଲାପାଳ ରଘୁରାମ ଆର୍. ଆୟର ଏବଂ ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ଆରମ୍ଭରେ ଅଧ୍ୟକ୍ଷା ସମସ୍ତ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାର ସାମଗ୍ରିକ ବିକାଶ, ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଦ୍ୟାଳୟଗୁଡ଼ିକର ଭିତିଭୂମି, ଶିକ୍ଷକ ଉପଲବ୍ଧତା, ଛାତ୍ରଛାତ୍ରୀଙ୍କ ଶିକ୍ଷା ପରିବେଶ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ନିର୍ବାଚିତ ପ୍ରତିନିଧିମାନେ ଗୃହରେ ନିଜ ମତାମତ ରଖିଥିଲେ। ଏଥିସହ ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଥିବା ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରି କାର୍ଯ୍ୟଗୁଡ଼ିକୁ ଶୀଘ୍ର ଆରମ୍ଭ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଲୋକଙ୍କ ଆବଶ୍ୟକତା ସହିତ ଜଡ଼ିତ ଉନ୍ନୟନ କାର୍ଯ୍ୟରେ ବିଳମ୍ବ ନହେବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। ଚଳିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ଆବଶ୍ୟକ ସେବା ଯୋଗାଣ, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତିଭୂମିର ସ୍ଥିତି ଏବଂ ବନ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସଦସ୍ୟ/ସଦସ୍ୟାମାନେ ଗୃହରେ ନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିଥିଲେ। ଏଥିସହିତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ ପାଇଁ ଆଶ୍ରୟସ୍ଥଳୀଗୁଡ଼ିକୁ ସମସ୍ତ ଦୃଷ୍ଟିରୁ ପ୍ରସ୍ତୁତ ରଖିବା ଆବଶ୍ୟକତା ଉପରେ ଗୃହରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ରାସ୍ତାଘାଟରେ ବୁଲା ଗୋରୁଗାଈଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଜନସାଧାରଣଙ୍କ ଯାତାୟାତରେ ସମସ୍ୟା ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତ୍ୟେକ ପଂଚାୟତରେ ଗୋଶାଳା ନିର୍ମାଣ କରିବା ନିମନ୍ତେ ରାଜନଗର ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁ ପ୍ରସ୍ତାବ ରଖିଥିଲେ। ପ୍ରସ୍ତାବଟି ଗୃହରେ ଆଲୋଚିତ ହୋଇଥିଲା। ଅନ୍ୟପକ୍ଷରେ, ଦିବଂଗତ ୨୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସୁବତ ଲେଙ୍କାଙ୍କ ସ୍ମୃତିରେ ତାଙ୍କ ନାମରେ ଏକ କମ୍ୟୁନିଟି ସେଂଟର ଖୋଲିବା ନିମନ୍ତେ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାମାନଙ୍କ ପକ୍ଷରୁ ବୈଠକରେ ପ୍ରସ୍ତାବ ରଖାଯାଇଥିଲା। ଗୃହରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବୈଠକରେ ନିର୍ବାଚିତ ଜନପ୍ରତିନିଧିମାନେ ନିଜ ନିଜ ଅଂଚଳର ବିଭିନ୍ନ ମୌଳିକ ସମସ୍ୟା, ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ସମ୍ପର୍କିତ ବିଷୟଗୁଡ଼ିକୁ ଗୃହରେ ଉପସ୍ଥାପନ କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉଠିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାର ଉନ୍ନୟନ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମୟବଦ୍ଧ ସମାଧାନ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ନିରନ୍ତର ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକ ଶେଷରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande