ବିଜୁ ଏକ୍ସପ୍ରେସୱେରେ ଧୂଳିର ପ୍ରଭାବ, ପ୍ରସନ୍ନ ପଣ୍ଡା ଛକରୁ ଖେରୱାଲ ପର୍ଯ୍ୟନ୍ତ ପାଣି ସିଞ୍ଚନ ଓ ନିୟମିତ ସଫେଇ ଦାବି
Biju express way is covered by Dust
ବିଜୁ ଏକ୍ସପ୍ରେସୱେରେ ଧୂଳିର ଦୌରାତ୍ମ୍ୟ


ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ସହର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେରେ ଧୂଳି ପ୍ରଦୂଷଣ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରସନ୍ନ ପଣ୍ଡା ଛକରୁ ଖେରୱାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ବ୍ୟାପକ ଧୂଳି ଉଡ଼ୁଥିବାରୁ ଯାତ୍ରୀ, ବାଇକ୍ ଚାଳକ ଓ ରାସ୍ତାକଡ଼ରେ ରହୁଥିବା ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ରାସ୍ତା ଝାରସୁଗୁଡ଼ାର ଏକ ପ୍ରମୁଖ ଯାତାୟାତ ମାର୍ଗ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଭାରୀଯାନ ସମେତ ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ କରୁଛି। ବିଭିନ୍ନ ଶିଳ୍ପ ସଂସ୍ଥାର ବର୍ଜ୍ୟବସ୍ତୁ ଓ କୋଇଲା ପରିବହନ କରୁଥିବା ଯାନରୁ ରାସ୍ତା ଉପରେ ସାମଗ୍ରୀ ଖସି ପଡ଼ୁଥିବା ଅଭିଯୋଗ ହେଉଛି। ଫଳରେ ରାସ୍ତାରେ ଜମି ରହୁଥିବା ଧୂଳି ଯାନବାହନ ଚଳାଚଳ ସମୟରେ ଉଡ଼ି ପରିବେଶକୁ ଧୂଳିମୟ କରୁଛି। ବିଶେଷକରି ଭାରୀଯାନ ଚଳାଚଳ ସମୟରେ ରାସ୍ତାରେ ଘନ ଧୂଳି ଉଡ଼ିବା ଯୋଗୁଁ ଅନ୍ୟ ଯାନର ଚାଳକଙ୍କ ଦୃଶ୍ୟମାନତା ପ୍ରଭାବିତ ହେଉଛି। ଏହା ଦୁର୍ଘଟଣାର ଆଶଙ୍କା ବଢ଼ାଇବା ସହ ରାସ୍ତାକଡ଼ରେ ଥିବା ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଓ ଘରଗୁଡ଼ିକ ମଧ୍ୟ ଧୂଳିରେ ଆଚ୍ଛାଦିତ ହେଉଛି। ଦୀର୍ଘ ସମୟ ଧରି ଧୂଳି ପ୍ରଦୂଷଣ ଜାରି ରହିଲେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀମାନେ ଏହି ରାସ୍ତାରେ ନିୟମିତ ସଫେଇ କରିବା ସହ ଧୂଳି ନିୟନ୍ତ୍ରଣ ପାଇଁ ଦିନକୁ ଅନ୍ତତଃ ଦୁଇରୁ ତିନିଥର ପାଣି ସିଞ୍ଚନ କରିବାକୁ ଦାବି କରିଛନ୍ତି। ଏଥିସହ କୋଇଲା ଓ ଅନ୍ୟ ବର୍ଜ୍ୟବସ୍ତୁ ପରିବହନ କରୁଥିବା ଯାନରୁ ରାସ୍ତାରେ ସାମଗ୍ରୀ ନ ପଡ଼ିବା ଏବଂ ନିୟମ ଅନୁସାରେ ଢାଙ୍କି ନେବା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମଧ୍ୟ ଦାବି ହୋଇଛି। ସମସ୍ୟା ସମ୍ପର୍କରେ ଝାରସୁଗୁଡ଼ା ଆରଟିଓ ଗୌରହରି ହାଂସଦାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

ଧୂଳି ପ୍ରଦୂଷଣ ଯୋଗୁଁ ଦୈନନ୍ଦିନ ଯାତାୟାତ ସହ ଜନଜୀବନ ପ୍ରଭାବିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାସ୍ଥଳ ଯାଞ୍ଚ କରି ନିୟମିତ ସଫେଇ, ପାଣି ସିଞ୍ଚନ ଓ ଭାରୀଯାନରୁ ରାସ୍ତାରେ ବର୍ଜ୍ୟବସ୍ତୁ ଖସିବା ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande