
କେନ୍ଦ୍ରାପଡ଼ା, ୧୮ ସେପ୍ଟେମ୍ବର(ହି.ସ.) – ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ଏକ ଅଭିନବ ରେକର୍ଡ ସୃଷ୍ଟି ହୋଇଛି। ଏହି ଶିବିରରେ ମୋଟ ୮୮୧୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ବେଳେ ଏହା ୱର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଏହି ବିଶାଳ ରକ୍ତଦାନ ଅଭିଯାନରେ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟକ ଯୁବକ ସାମିଲ ହୋଇ ରକ୍ତଦାନ କରିଥିଲେ। ବିଶେଷକରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୦୦ରୁ ଊର୍ଦ୍ଧ୍ୱ ଯୁବକ ରକ୍ତଦାନ କରି ଏହି ଅଭିଯାନରେ ନିଜର ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣାପଡ଼ିଛି। ଯୁବପିଢ଼ିର ଏଭଳି ସ୍ୱେଚ୍ଛାକୃତ ରକ୍ତଦାନ ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ସେବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ବାର୍ତା ନେଇ ଆୟୋଜିତ ଏହି ରକ୍ତଦାନ ଶିବିରରେ ଜିଲ୍ଲାର ପାଂଚୋଟି ନିର୍ବାଚନ ମଣ୍ଡଳୀ ଯଥା ଆଳି, ରାଜନଗର, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ପାଟକୁରା ଅଂଚଳର ଯୁବକ ମାନଙ୍କର ସ୍ୱେଚ୍ଛାକୃତ ଯୋଗଦାନ ଦେଖିବାକୁ ମିଳିଥିଲା। ଏକ ଦିନରେ ଏବଂ ନିର୍ଦ୍ଧିଷ୍ଟ ସ୍ଥାନରେ ବିପୁଳ ପରିମାଣର ରକ୍ତ ସଂଗ୍ରହ ହେବା ସହ ଏହି ଅଭିଯାନ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସେବା ଓ ସମାଜସେବାର ଅବସର ଭାବେ ପାଳନ କରି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ବିଶାଳ ରକ୍ତଦାନ ଶିବିର ଯୁବ ସମାଜ ମଧ୍ୟରେ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବାନୀ ଶଙ୍କର ଦାସ ମତ ପ୍ରକାଶ କରିଛନ୍ତି। ଉକ୍ତ ଅଭିଯାନରେ ଜିଲ୍ଲାର ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଏବଂ ବିଜେପିର ନେତୃବୃନ୍ଦ ଅକୁଣ୍ଠ ସହଯୋଗ କରି ଶିବିରକୁ ସଫଳ କରିଥିବାରୁ ଯୁବମୋର୍ଚ୍ଚା ସଭାପତି ଶିବାନୀ ଶଙ୍କର ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି