
ଭୁବନେଶ୍ଵର , 18 ସେପ୍ଟେମ୍ବର (ହି.ସ.)
ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ମାମଲାରେ ଆଜି ଉଚ୍ଚ ନ୍ୟାୟାଳୟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ବିଜୁ ଜନତା ଦଳ ଏହି ୮ ବିଧାୟକ ମାନେ ଲୋକ ପ୍ରତିନିଧି ଭାବେ ରହିବାର ଅଧିକାର ହରାଇଛନ୍ତି ବୋଲି କହିଛି । ଦଳୀୟ ହୁଇପ୍କୁ ଅମାନ୍ୟ କରି ରାଜ୍ୟସଭାରେ କ୍ରସ ଭୋଟିଂ କରିଥିବା ଏହି ୮ ବିଧାୟକ ଅଧିକ ଦିନ ବିଧାୟକ ଭାବେ ରହିବା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ ଆହ୍ୱାନ ବୋଲି ବିଜେଡି କହିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ସମ୍ୱିଧାନର ୧୦ମ ଅନୁଚ୍ଛେଦର ବ୍ୟବସ୍ଥା ଅନୁଯାୟୀ ଯେଉଁ ବିଧାୟକ ମାନେ ଦଳୀୟ ହୁଇପ୍କୁ ଅବଜ୍ଞା କରି କ୍ରସ ଭୋଟିଂ କରିବେ, ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବ । ବିଧାନସଭାର ବାଚସ୍ପତିଙ୍କ ପାଖରେ ଏହି ବିଧାୟକ ମାନଙ୍କ ପଦକୁ ରଦ୍ଦ କରିବା ଅଧିକାର ରହିଛି । କିନ୍ତୁ ବାଚସ୍ପତିଙ୍କ ନିକଟରେ ବିଜେଡି ତରଫରୁ ଏହି ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ କରାଯାଇଥିବା ଆବେଦନକୁ ବାଚସ୍ପତି ଅଗ୍ରାହ୍ୟ କରିଦେଇଥିଲେ । ଏହି ବିଧାୟକ ମାନଙ୍କୁ ସୁରକ୍ଷା ଦେଇ ରାଜ୍ୟ ସରକାର କାଳକ୍ଷେପଣ ନୀତି କରୁଛନ୍ତି । ଲୋକ ପ୍ରତିନିଧି ପଦ ବଜାୟ ରଖିବା ପାଇଁ ଏହି ବିଧାୟକ ମାନେ ଅଧିକାର ହରାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହି ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ କରାଯାଇଥିବା ବିଜେଡିର ଆବେଦନକୁ ବାଚସ୍ପତି ଖାରଜ କରିଦେବା ପରେ ବିଜେଡି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି । ଏହି ମାମଲାର ଶୁଣାଣି କରି ଶୁକ୍ରବାର ଉଚ୍ଚ ନ୍ୟାୟାଳୟ ପ୍ରତିପକ୍ଷଙ୍କୁ ଜବାବ ରଖିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା