
ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତୃଣମୂଳ କଂଗ୍ରେସ (ଟିଏମସି) ର ନାମ ଏବଂ ଚିହ୍ନ ଉପରେ ପ୍ରତିବନ୍ଧକ ଲଗାଇବାର ନିର୍ବାଚନ ଆୟୋଗଙ୍କ ନିଷ୍ପତିକୁ ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ, ବିଜେପି ଏବଂ ନିର୍ବାଚନ ଆୟୋଗ ମିଳିତ ଭାବେ ବିରୋଧୀ ଦଳଗୁଡ଼ିକୁ ଦୁର୍ବଳ କରୁଛନ୍ତି । ସେ କହିଛନ୍ତି ଯେ, ଏହି ଲଢ଼େଇ କେବଳ ମମତା ବାନାର୍ଜୀଙ୍କର ନୁହେଁ, ବରଂ ପ୍ରତ୍ୟେକ ରାଜନୈତିକ ଦଳ ଏବଂ ଭୋଟରଙ୍କର ଯେଉଁମାନେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଚାହୁଁଛନ୍ତି ।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଏହା ପ୍ରଥମେ ଶିବସେନା, ତା ପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ବର୍ତମାନ ତୃଣମୂଳ କଂଗ୍ରେସ ସହିତ ଘଟିଛି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରତ୍ୟେକ ଥର ସମାନ ଢାଂଚା ପୁନରାବୃତି ହୁଏ, ଯେଉଁଥିରେ ଦଳକୁ ପ୍ରଥମେ ଭଙ୍ଗା ଯାଇଥାଏ ଏବଂ ତା 'ପରେ ଏହାର ନିର୍ବାଚନୀ ଚିହ୍ନ ଛଡାଇ ନିଆଯାଇଥାଏ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ ଦାୟିତ୍ୱ ହେଉଛି ଜନାଦେଶର ସୁରକ୍ଷା କରିବା, କିନ୍ତୁ ଏହା ଲୋକଙ୍କ ରାୟକୁ ପରିବର୍ତନ କରିବାକୁ ଚାହୁଁଥିବା ଶକ୍ତିକୁ ସାହାଯ୍ୟ କରୁଛି ।
ଏହା ପୂର୍ବରୁ, କଂଗ୍ରେସ ସାଧାରଣ ସମ୍ପାଦକ କେ. ସି. ଭେନୁଗୋପାଳ ନିର୍ବାଚନ ଆୟୋଗଙ୍କ ନିଷ୍ପତିକୁ ସମାଲୋଚନା କରି ଏକ୍ସ ରେ କହିଥିଲେ ଯେ, ନିର୍ବାଚନ ଆୟୋଗ ବିରୋଧୀ ଦଳମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ।
କଂଗ୍ରେସର ଗଣମାଧ୍ୟମ ଏବଂ ପ୍ରଚାର ବିଭାଗର ଅଧ୍ୟକ୍ଷ ପୱନ ଖେରା ମଧ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଟିଏମସି ଚିହ୍ନକୁ ଫ୍ରିଜ୍ କରିବା ନ୍ୟାୟ ନୁହେଁ ବରଂ ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ ଦାୟିତ୍ୱରୁ ପଛକୁ ହଟିବା । ସେ କହିଛନ୍ତି ଯେ, ଦଳର ବିଦ୍ରୋହୀ ଗୋଷ୍ଠୀର କୌଣସି ସାମ୍ବିଧାନିକ ଆଧାର ନାହିଁ ଏବଂ ତେଣୁ ଚିହ୍ନ ଉପରେ କୌଣସି ବୈଧ ଦାବି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ