
ମାଲକାନଗିରି, ୧୮ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର କୃଷକମାନଙ୍କୁ ସରକାରୀ ଯୋଜନାର ସୁଫଳ ଓ ସୁବିଧା ସଠିକ୍ ସମୟରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍ବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଚାଲିଥିବା ଏଗ୍ରିଷ୍ଟାକ୍ ଡିଜିଟାଲ୍ ପଞ୍ଜୀକରଣ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାପାଳ କହିଥିଲେ, ଡିଜିଟାଲ୍ ପଞ୍ଜୀକରଣ କେବଳ ଏକ ସରକାରୀ ପ୍ରକ୍ରିୟା ନୁହେଁ, ଏହା ଚାଷୀଙ୍କ ହକ୍ ଓ ସୁବିଧାକୁ ସୁରକ୍ଷିତ କରିବାର ଶକ୍ତ ମାଧ୍ୟମ । ଜିଲ୍ଲାର କୌଣସି ବି ପ୍ରକୃତ ଚାଷୀ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ରାଜସ୍ୱ ଓ କୃଷି ବିଭାଗ ମିଳିତ ଭାବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ ପ୍ରହରାଜ, ସମସ୍ତ ତହସିଲଦାର ଏବଂ କୃଷି ବିଭାଗର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୈଠକର କାର୍ଯ୍ୟସୂଚୀ ପରିଚାଳନା କରିଥିଲେ। ବୈଠକରେ ଶ୍ରୀ ପ୍ରହରାଜ କହିଥିଲେ, ଏଗ୍ରିଷ୍ଟାକ୍ ହେଉଛି ଚାଷୀମାନଙ୍କ ପାଇଁ ଏକ ଅତ୍ୟାଧୁନିକ ଡିଜିଟାଲ୍ ପରିଚୟପତ୍ର। ଏହି ପଞ୍ଜୀକରଣ ଦ୍ୱାରା ଚାଷୀମାନେ ପ୍ରତ୍ୟକ୍ଷ ଭାବେ ସରକାରୀ ରିହାତି, ବିହନ-ଖତ ସହାୟତା, ଫସଲ ବୀମା ଏବଂ ଋଣ ସୁବିଧା ବିନା କୌଣସି ବିଳମ୍ବରେ ପାଇପାରିବେ। ତୃଣମୂଳ ସ୍ତରରେ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ଏହି ବ୍ୟବସ୍ଥାରେ ଯୋଡ଼ିବା ଆମର ମୁଖ୍ୟ ଲକ୍ଷ୍ୟ।
ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତ ତହସିଲଦାର ଓ କୃଷି ଅଧିକାରୀମାନଙ୍କୁ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପଞ୍ଜୀକରଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ