
ନୂଆପଡ଼ା, ୧୮ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ହୀରାନଗରସ୍ଥିତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ପକ୍ଷରୁ ନିଶାମୁକ୍ତ ଅଭିଯାନ ଓ ‘ରାଷ୍ଟ୍ରୀୟ ସଂକଳ୍ପ ସମ୍ବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ପାଇଁ ଏକ ସୁସ୍ଥ ଓ ଶିକ୍ଷିତ ସମାଜର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଯୁବପିଢ଼ି ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ ହୋଇ ନିଶାଠାରୁ ଦୂରେଇ ରହିଲେ ଦେଶର ଭବିଷ୍ୟତ ଅଧିକ ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।
କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପରିଚାଳନା ସଭାପତି ବିନୋଦ ବିହାରୀ ପାଢ଼ୀ, ପରିଚାଳନା ସଦସ୍ୟ ଅଜିତ କୁମାର ପଣ୍ଡା, ତପନ ଦାସ ପ୍ରମୁଖ ଯୋଗଦେଇଥିଲେ। ଏନ୍ଏସ୍ଏସ୍ ଅଧିକାରୀ ପୁଷ୍ପାଞ୍ଜଳି ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀ ନାରାୟଣ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଛାତ୍ରୀ, ଅଧ୍ୟାପକ ଓ ଅନ୍ୟମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଯୁବପିଢ଼ି ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ