
ମାଲକାନଗିରି, ୧୮ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବେଆଇନ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପୋଲିସ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛି । କାଲିମେଳା ବ୍ଲକର ପାପୁଲୁର ଓ କୁରୁମାନୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କାଲିମେଳା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ ।
ବୈଠକରେ ବେଆଇନ ଗଞ୍ଜେଇ ଚାଷ ଦ୍ୱାରା ହେଉଥିବା କୁପରିଣାମ ବିଷୟରେ ବୁଝାଯାଇଥିଲା । ଗଞ୍ଜେଇ ଚାଷ ଏକ ଦଣ୍ଡନୀୟ ଅପରାଧ, ଏଥିରେ ଜେଲ୍ ଦଣ୍ଡ ସହ ବଡ଼ ଅଙ୍କର ଜରିମାନା ହେବ ବୋଲି ସଚେତନ କରାଯାଇଥିଲା । ଗଞ୍ଜେଇ ଚାଷ ଯୋଗୁଁ ଯୁବପିଢ଼ି ନଷ୍ଟ ହେଉଥିବା ଓ ସମାଜ ଉପରେ ଖରାପ ପ୍ରଭାବ ପଡୁଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏଥିସହ ଏନଡିପିଏସ ଆଇନର ଧାରା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା । ଅଞ୍ଚଳରେ କେଉଁଠାରେ ଅବୈଧ ଗଞ୍ଜେଇ ଚାଷ ହେଉଥିଲେ ପୋଲିସକୁ ସୂଚନା ଦେବାକୁ ଗ୍ରାମବାସୀଙ୍କୁ କୁହାଯାଇଥିଲା । ସମସ୍ତେ ଗଞ୍ଜେଇ ଚାଷ ଛାଡ଼ି ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିବେଦନ କରାଯାଇଥିଲା । ଯଦି କେହି ପୁଣି ଗଞ୍ଜେଇ ଚାଷ କରନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି । ପୋଲିସର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ