
କନ୍ଧମାଳ, ୧୮ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବାଘ ଛାଲ ନେଇ ବିକ୍ରି କରିବା ପାଇଁ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ପୋଲିସ୍ ଓ ବନବିଭାଗ ପକ୍ଷରୁ ମିଳିତ ଚଢ଼ଉ କରି ଘଟଣାସ୍ଥଳରୁ ଦୁଇଟି କଲରାପତରିଆ ବାଘର ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ବନ ବିଭାଗ । ଦୁଇଟି ବାଘ ପାଖାପାଖି ତିନି ବର୍ଷ ବୟସର ହୋଇଥିବା ବେଳେ ବାଘକୁ ଗୁଳି କରି ହତ୍ୟା କରାଯାଇଛି । ବାଘର ଛାଲରେ ତିନୋଟି ଗୁଳିବିଦ୍ଧ ଚିହ୍ନ ରହିଛି । ସେପଟେ ଦୁଇଟି ଯାକ ବାଘ ଛାଲର ଲମ୍ବ ୧୦୫ ସେଣ୍ଟିମିଟର ରହିଥିବା ବେଳେ ଲାଞ୍ଜ ୭୫ ସେଣ୍ଟିମିଟର ରହିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମର ୩୮ ବର୍ଷୀୟ ଉତ୍ତମ ମାଝୀ ହୋଇଥିବା ବେଳେ ସେ ଜଣେ ବନ୍ୟଜନ୍ତୁ ବାଘଛାଲ ବ୍ୟବସାୟୀ ଏବଂ ଏହି ରାକେଟରେ ଆହୁରି ଅନେକ ଲୋକ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଏନେଇ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ଆଧାରରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ଏବଂ ଖୁବ୍ ଶୀଘ୍ର ଏହି ରାକେଟରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଡିଏଫ୍ଓ ଘନଶ୍ୟାମ ମହନ୍ତ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ