ରେମତାରେ ନୂଆଁଖାଇ ଭେଟଘାଟ, ନୃତ୍ୟରେ ଝୁମିଲେ ଦର୍ଶକ
Nuakhai Bhetghat in Remta village
ରେମତାରେ ନୂଆଁଖାଇ ଭେଟଘାଟ, ନୃତ୍ୟରେ ଝୁମିଲେ


ଝାରସୁଗୁଡା, ୧୮ ସେପ୍ଟେମ୍ବର (ହି.ସ.)- ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜା ଅନ୍ତର୍ଗତ ରେମତା ଗ୍ରାମରେ ନୂଆଁଖାଇ ଭେଟଘାଟ୍ ଉପଲକ୍ଷେ ମାତୃଭୂମି ଯୁବଗୋଷ୍ଠୀ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ମେଧାବୀ ଛାତ୍ରଛାତ୍ରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପଡ଼ୋଶୀ ଛତିଶଗଡ଼ ସମେତ ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଭାଗ ନେଇ ନୃତ୍ୟ ପ୍ରତିଯୋଗିତାରେ ବେଶ୍ ଉଚ୍ଚକୋଟିର ନୃତ୍ୟ ପରିବେଷଣ ଥିଲେ ।

ଉକ୍ତ ପ୍ରତିଯୋଗିତାରେ ଦର୍ଲିପାଲିର ନିତୁ ନେଟି ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି, ମାନପତ୍ର ସହ ୧୫ ହଜାର ଟଙ୍କା ପୁରସ୍କାର ପାଇଥିଲେ । ଅତାବିରାର କ୍ଷିତୀରାଣୀ ମଲ୍ଲିକ ଦ୍ୱିତୀୟ ସ୍ଥାନ ହାସଲ କରି ୮ ହଜାର ଟଙ୍କା, ଛତିଶଗଡ଼ର ମୋହିନୀ ଡାନ୍ସ ଗ୍ରୁପ ତୃତୀୟ ସ୍ଥାନ ହାସଲ କରି ୫ ହଜାର ଟଙ୍କା, ସମ୍ବଲପୁରର ଗ୍ୟାଙ୍ଗଷ୍ଟାର ଡାନ୍ସ ଗ୍ରୁପ ଚତୁର୍ଥ ସ୍ଥାନ ପାଇ ୩ ହଜାର ୧୦୦ ଟଙ୍କା ଏବଂ ଆର୍ୟନ ଡାନ୍ସ ଗ୍ରୁପ ପଞ୍ଚମ ସ୍ଥାନ ହାସଲ କରି ୨ ହଜାର ୧୦୦ ଟଙ୍କା ପୁରସ୍କାର ପାଇଥିଲେ। ବିଜେତା ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍ସ, ରାୟପୁରର ଡା. ବିଜୟ ଗୁପ୍ତା, ବେଲପାହାଡ଼ର ସାମାଜିକ କର୍ମୀ ସ୍ମୃତିରଞ୍ଜନ ପ୍ରଧାନ, ରେମତା ଗ୍ରାମ୍ୟ କମିଟି ସଭାପତି ଚତୁର୍ଭୁଜ ବିଶ୍ୱାଳ, ରେମତା ସରପଞ୍ଚ ପ୍ରଫୁଲ୍ଲ ସିଂ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପଣ୍ଡା ଯୋଗଦେଇ ଗ୍ରାମାଞ୍ଚଳରେ ଏଭଳି ଆୟୋଜନ ଯୁବପିଢ଼ିଙ୍କ ପ୍ରତିଭା ବିକାଶ ସହ ସାମାଜିକ ଏକତାକୁ ସୁଦୃଢ଼ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ରେମତା ଗ୍ରାମର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବେ ଅଞ୍ଚଳର ସୁନାମଧନ୍ୟ କଳାକାର ରାଜେଶ କୁମାର ସିଂହ ଏବଂ ଅବସରପ୍ରାପ୍ତ ଶିକ୍ଷକ ତୁଲାରାମ ରହେନା ଦାୟିତ୍ୱ ନିର୍ବାହ କରିଥିଲେ। ସହକାରୀ ଶିକ୍ଷକ ସୁନ୍ଦରଲାଲ ଦାଶ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଦୀକ୍ଷିତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜନର ସଫଳତା ପାଇଁ ମାତୃଭୂମି ଯୁବଗୋଷ୍ଠୀର ଶ୍ରୀପତି ମହାପାତ୍ର, ରଞ୍ଜିତ ବିଶ୍ୱାଳ, କେଶବ ଭୂଏ, ଦୀକ୍ଷିତ ସିଂ, ପ୍ରକାଶ ପ୍ରଧାନ, ବିମଳ ପ୍ରଧାନ, ବାବୁଲାଲ ପାଣ୍ଡେ, ସୁନ୍ଦରଲାଲ ଦାଶଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ନୂଆଁଖାଇର ଭାଇଚାରା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ଆୟୋଜିତ ଏହି ସମାରୋହରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇ ନୃତ୍ୟ ପ୍ରତିଯୋଗିତାର ମଜା ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande