ତାଲମୁଣ୍ଡାରେ ଦୁଧ ଖଡ଼ିଆ ସମାଜର ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ
Nuakhai Bhetghat in talmunda village
ତାଲମୁଣ୍ଡାରେ ଦୁଧ ଖଡ଼ିଆ ସମାଜର ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ


ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ତାଲମୁଣ୍ଡାଠାରେ ଦୁଧ ଖଡ଼ିଆ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଶୁକ୍ରବାର ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ସମସ୍ତ ଭାଇଭଉଣୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଥିଲେ।

ନିଜ ବକ୍ତବ୍ୟରେ ବିଧାୟକ ତ୍ରିପାଠୀ କହିଥିଲେ ଯେ, ନୂଆଁଖାଇ ଆମ ମାଟି, ମା’ ଓ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡ଼ିତ। ଏହା କେବଳ ଏକ ପର୍ବ ନୁହେଁ, ପଶ୍ଚିମ ଓଡ଼ିଶାର ଏକ ମହାନ ଗଣପର୍ବ। ନୂଆଁଖାଇ ଭେଟଘାଟ ମାଧ୍ୟମରେ ପରସ୍ପର ମଧ୍ୟରେ ଭାଇଚାରା, ଏକତା ଓ ସୌହାର୍ଦ୍ଦ୍ୟର ଭାବନା ଆହୁରି ମଜବୁତ ହୋଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ ପରିବେଷଣ। ଦୁଧ ଖଡ଼ିଆ ସମାଜର ମହିଳାମାନଙ୍କ ସହ ବିଧାୟକ ତ୍ରିପାଠୀ ନୃତ୍ୟରେ ସାମିଲ ହୋଇ ଉତ୍ସବର ଆନନ୍ଦକୁ ଦ୍ୱିଗୁଣିତ କରିଥିଲେ। ବିଧାୟକଙ୍କ ଏଭଳି ସହଭାଗିତା ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

ଏହି ଅବସରରେ ଦୁଧ ଖଡ଼ିଆ ସମାଜର ବହୁ କର୍ମକର୍ତା, ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ସମସ୍ତଙ୍କ ସହଯୋଗରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande