
ଜୟପୁର, ୧୮ ସେପ୍ଟେମ୍ବର(ହି.ସ.) – ଦିଶା ବୈଠକରେ କୋରାପୁଟ ଜିଲ୍ଲାର ସାମଗ୍ରିକ ଓ ତୃଣମୂଳ ସ୍ତରର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଗ୍ରାମାଂଚଳର ବାସ୍ତବ ସମସ୍ୟା, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ବିଭାଗୀୟ ଅଧିକାରୀଙ୍କ ଉତରଦାୟିତ୍ୱ ଏବଂ ସାଧାରଣ ଲୋକଙ୍କ ପାଖରେ ବିକାଶର ସୁଫଳ ପହଂଚାଇବା ନେଇ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନିପତି ଗ୍ରାମ ଓ ପଂଚାୟତ ସ୍ତରରେ ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ଉଠାଇଥିଲେ। ରାସ୍ତାଘାଟର ଦୁରବସ୍ଥା, ଯାତାୟାତ ସମସ୍ୟା, ସ୍ୱାସ୍ଥ୍ୟସେବାର ଉପଲବ୍ଧତା, ଶିକ୍ଷା ବ୍ୟବସ୍ଥାର ଉନ୍ନତି, କୃଷକଙ୍କ ସମସ୍ୟା, ପାନୀୟଜଳ, ଗ୍ରାମୀଣ ଭିତିଭୂମି, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓ ଲୋକଙ୍କୁ ସମୟୋଚିତ ସେବା ଯୋଗାଇବା ଭଳି ବିଷୟ ଆଲୋଚନାର ପ୍ରମୁଖ ଅଂଶ ଥିଲା। ବାହିନିପତି କହିଥିଲେ ଯେ, ବିକାଶର ପ୍ରକୃତ ମାପଦଣ୍ଡ ହେଉଛି ଗ୍ରାମ ଓ ଗରିବ ଲୋକଙ୍କ ଜୀବନରେ ଆସୁଥିବା ପରିବର୍ତନ। ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ସୁଫଳ ଯେପରି ଶେଷ ପର୍ଯ୍ୟାୟର ଲୋକଙ୍କ ନିକଟରେ ପହଂଚିବ, ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଗ୍ରାସରୁଟ୍ ସ୍ତରରେ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ଭାବରେ କାର୍ଯ୍ୟ କରିବା ଆବଶ୍ୟକ।
କୋରାପୁଟ ଜିଲ୍ଲାର ଅର୍ଥନୀତି ଓ କୃଷକଙ୍କ ଜୀବନ ସହ ଜଡ଼ିତ କୃଷି ପ୍ରସଙ୍ଗ ମଧ୍ୟ ବୈଠକରେ ବିଶେଷ ଗୁରୁତ୍ୱ ପାଇଥିଲା।
କୋରାପୁଟର ଏକ ପ୍ରମୁଖ ଶସ୍ୟ ମାଣ୍ଡିଆକୁ ନେଇ ଜୟପୁର ବିଧାୟକ ବାହିନିପତି ଜିଲ୍ଲା କୃଷି ଅଧିକାରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ। ମାଣ୍ଡିଆ କେବେ ବୁଣାଯାଏ, କେବେ ଏହାର ଉତ୍ପାଦନ ହୁଏ ଏବଂ ଏହା ସମ୍ପର୍କିତ ମୌଳିକ କୃଷି ତଥ୍ୟ ବିଷୟରେ ସେ ଅଧିକାରୀଙ୍କୁ ପଚାରିଥିଲେ।
ତେବେ ଅଧିକାରୀଙ୍କ ଉତରରେ ବିଧାୟକ ସନ୍ତୁଷ୍ଟ ନହୋଇ କଡ଼ା ତାଗିଦ୍ କରିଥିଲେ। କୃଷକଙ୍କ ସହ ସିଧାସଳଖ ଭାବେ ଜଡ଼ିତ କୃଷି ବିଭାଗର ଅଧିକାରୀମାନେ ଜିଲ୍ଲାର ପ୍ରମୁଖ ଫସଲ, ଚାଷ ପ୍ରଣାଳୀ, ବୁଣା ଓ ଅମଳ ସମୟ ସମ୍ପର୍କରେ ସଠିକ୍ ଓ ବ୍ୟବହାରିକ ଜ୍ଞାନ ରଖିବା ଆବଶ୍ୟକ ବୋଲି ସେ ଜୋର ଦେଇଥିଲେ।
କୃଷକଙ୍କ ପ୍ରତି ବିଭାଗୀୟ ଦାୟିତ୍ୱରେ କୌଣସି ପ୍ରକାର ଅବହେଳା ନହେବା ଉଚିତ ବୋଲି ବିଧାୟକ ସ୍ପଷ୍ଟ ଭାବରେ ମତ ରଖିଥିଲେ। ଏହି ପ୍ରସଙ୍ଗ ପରେ ଜିଲ୍ଲା କୃଷି ଅଧିକାରୀଙ୍କ ଦରମା ବନ୍ଦ କରିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ବିଧାୟକଙ୍କ ପକ୍ଷରୁ ନିର୍ଦ୍ଦେଶ/ତାଗିଦ୍ ଦିଆଯାଇଥିବା ଜଣାଯାଇଛି।
ଜିଲ୍ଲାର ବିଭିନ୍ନ ଅଂଚଳରେ ରାସ୍ତାଘାଟର ଅବସ୍ଥା, ଗ୍ରାମାଂଚଳର ଯୋଗାଯୋଗ ବ୍ୟବସ୍ଥା ଓ ଆବଶ୍ୟକ ଭିତିଭୂମି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ବିଧାୟକ ବାହିନିପତି ଗ୍ରାମାଂଚଳର ଲୋକମାନେ ଯେପରି ଉନ୍ନତ ଯାତାୟାତ ବ୍ୟବସ୍ଥା ପାଇପାରିବେ ଏବଂ ରାସ୍ତା ଓ ଅନ୍ୟାନ୍ୟ ଭିତିଭୂମି କାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପନ୍ନ ହେବ, ସେଥିପାଇଁ ବିଭାଗୀୟ ସ୍ତରରେ ନିୟମିତ ତଦାରଖ ଓ ଉତରଦାୟିତ୍ୱ ନିଶ୍ଚିତ କରିବା ଉପରେ ଜୋର ଦେଇଥିଲେ।
କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ ଗ୍ରାମାଂଚଳରେ ଲୋକମାନଙ୍କୁ ଉଚିତ୍ ସମୟରେ ଚିକିତ୍ସା ସେବା ମିଳିବା ସମ୍ପର୍କରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ସେବା, ମାନବସମ୍ବଳ ଓ ଭିତିଭୂମିର ସ୍ଥିତି ଉପରେ ନଜର ରଖିବା ସହ ଦୁର୍ଗମ ଅଂଚଳର ଲୋକମାନେ ଯେପରି ସ୍ୱାସ୍ଥ୍ୟସେବାରୁ ବଂଚିତ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶିକ୍ଷା ବ୍ୟବସ୍ଥାର ବିକାଶ, ବିଦ୍ୟାଳୟଗୁଡ଼ିକର ଆବଶ୍ୟକ ଭିତିଭୂମି, ଛାତ୍ରଛାତ୍ରୀଙ୍କ ସୁବିଧା ଏବଂ ଦୁର୍ଗମ ଅଂଚଳରେ ଶିକ୍ଷାର ସୁଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ ଓ ରାସ୍ତା ଭଳି ମୌଳିକ କ୍ଷେତ୍ରରେ ସରକାରୀ ଯୋଜନାର ବାସ୍ତବ ଲାଭ ଲୋକଙ୍କ ପାଖରେ ପହଂଚିବାକୁ ହେଲେ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ନିୟମିତ ନିରୀକ୍ଷଣ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ବାହିନିପତି ମତ ରଖିଥିଲେ।
ଦିଶା ବୈଠକରେ ଉଠିଥିବା ସମସ୍ତ ପ୍ରସଙ୍ଗ ବିକାଶର ଲାଭ ଗ୍ରାସରୁଟ୍ ସ୍ତରରେ ପହଞ୍ଚାଇବା ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ କରିବା ଉପରେ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନିପତି ବିଶେଷ ଗୁରୁତ୍ୱ ଦେଇଥିଲେ।
ସେ ସ୍ପଷ୍ଟ କରିଥିଲେ ଯେ, କୋରାପୁଟ ଭଳି ଜିଲ୍ଲାରେ ବିକାଶ କେବଳ କାଗଜପତ୍ର ଓ ରିପୋର୍ଟରେ ସୀମିତ ନରହି ଏହାର ପ୍ରତ୍ୟକ୍ଷ ସୁଫଳ ଗ୍ରାମ, ପଞ୍ଚାୟତ ଓ ସାଧାରଣ ଲୋକଙ୍କ ଜୀବନରେ ଦୃଶ୍ୟମାନ ହେବା ଆବଶ୍ୟକ। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରତ୍ୟେକ ବିଷୟରେ ଦାୟିତ୍ୱଶୀଳ ଭାବରେ କାର୍ଯ୍ୟ କରିବା, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓ ବିଭାଗୀୟ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ହିଁ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି