
ପୁରୀ, ୧୮ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ନୂଆ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ' ଭାବେ ଅଭିଷେକ ବେହେରା ଯୋଗଦାନ କରିଛନ୍ତି | ଯୋଗଦେବା ପରେ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ହ୍ଵାଟ୍ସଆପ ଗ୍ରୁପରେ ଜଣାଇଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ଇଚ୍ଛା ବିନା ଏ ପବିତ୍ର ଧାମରେ ପାଦ ପଡ଼ିବା ଅସମ୍ଭବ। ବିଶ୍ୱପ୍ରସିଦ୍ଧ କ୍ଷେତ୍ର ପୁରୀରେ ଯୋଗଦେଇ, ଆପଣମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପରିବାରରେ ସାମିଲ ହେବାର ସୌଭାଗ୍ୟ ମିଳିଛି। ମୋର ପୂର୍ବ କାର୍ଯ୍ୟକ୍ଷେତ୍ର ଢେଙ୍କାନାଳରୁ ବଦଳି ହୋଇ ମହାପ୍ରଭୁଙ୍କ ଏହି ସାଧାରଣ ସେବାକ୍ଷେତ୍ରକୁ ଆସିବା ମୋ ପାଇଁ ଏକ ଅତ୍ୟନ୍ତ ଭାବପ୍ରବଣ ଏବଂ ଗୌରବର ମୁହୂର୍ତ୍ତ।
ଗଣମାଧ୍ୟମ ହେଉଛି ସମାଜର ଦର୍ପଣ, ଯିଏ ପ୍ରତିଟି ସତ୍ୟକୁ ନିର୍ଭୟରେ ଲୋକଲୋଚନକୁ ଆଣିଥାଏ। ଆପଣମାନଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ କଲମର ଶକ୍ତି ହିଁ ସମାଜକୁ ସଠିକ୍ ଦିଗ୍ଦର୍ଶନ ଦେଇଥାଏ। ପୁରୀର ଏହି ପବିତ୍ର ମାଟିରେ ଆପଣମାନଙ୍କ ଭଳି ପ୍ରତିଷ୍ଠିତ, ଅଭିଜ୍ଞ ଏବଂ ସଚେତନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ମାଟି ଓ ମଣିଷ ପାଇଁ କାମ କରିବା ମୋ ପାଇଁ ବେଶ୍ ଗର୍ବର ବିଷୟ। ଜଣେ ସରକାରୀ ଅଧିକାରୀ ଭାବେ କେବଳ ଦାୟିତ୍ୱ ତୁଲାଇବା ମୋର ଲକ୍ଷ୍ୟ ନୁହେଁ, ବରଂ ଆପଣମାନଙ୍କ ପ୍ରତ୍ୟେକଙ୍କ ସହ ଏକ ଆନ୍ତରିକ, ନିବିଡ଼ ଏବଂ ପରିବାର ପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ିତୋଳିବା ମୋର ମୁଖ୍ୟ ଉଦ୍ଦେଶ୍ୟ। ସରକାରୀ ଯୋଜନା ଓ ସୂଚନାଗୁଡ଼ିକୁ ସଠିକ୍ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସମସ୍ତେ ମିଶି ଏକ ମଜଭୁତ ଟିମ୍ ଭାବେ କାମ କରିବା। ଆଗାମୀ ଦିନରେ ଆପଣମାନଙ୍କର ସହଯୋଗ, ମାର୍ଗଦର୍ଶନ ଏବଂ ଅପାର ଭଲପାଇବା ମୋର ଏହି ନୂତନ ଯାତ୍ରାକୁ ଅଧିକ ସଫଳ ଓ ସରସ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ଅଛି ବୋଲି ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ