
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଶୁକ୍ରବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ସ୍ଥିତ ହେମପଦ୍ମ ଗାଲାକ୍ସି ପରିସରରେ ଦିବଂଗତ ଜନ ନାୟକ ଅର୍ଜୁନ ଚରଣ ସେଠୀଙ୍କ ୮୬ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜୟନ୍ତୀ କମିଟିର ସଭାପତି ରବିନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ଼.ସୁଧାଂଶୁ ଶେଖର ନାୟକ ମଂଚ ପରିଚାଳନା କରିଥିଲେ । ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ,ସ୍ୱର୍ଗତ ଅର୍ଜୁନ ସେଠୀ ଆମ ସମସ୍ତଙ୍କ ପ୍ରଣମ୍ୟ ,ତାଙ୍କ ଠାରେ କ୍ଷମତାର ଲୋଭ ନଥିବା ବେଳେ ଆମ ଅଚଂଳର ବିକାଶ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ଅହଂକାର ସ୍ପର୍ଶ କରି ନଥିବା ମହାନ ବ୍ୟକ୍ତିତ୍ୱ ଥିବା ବେଳେ ତାଙ୍କ ନିତୀ ଆଦର୍ଶକୁ ଅନୁସରଣ କରିବା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଥିଲେ । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ସମୟ କିପରି ରାଜନିତୀର ଗତିପଥକୁ ନିୟନ୍ତ୍ରଣ କରେ ତାହାର ବ୍ୟାଖା କରି ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ମାଟି ତାଙ୍କ ପିତାଙ୍କୁ ମହୀୟାନ ବ୍ୟକ୍ତିତ୍ୱରେ ପରିଣତ କରିଥିଲା ଭାବପୂର୍ଣ୍ଣ ବକ୍ତବ୍ୟ ରଖି ମାଟିକୁ ପ୍ରଣାମ ଜଣାଇଥିଲେ । ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା,ପୂର୍ବତନ ଜିଲ୍ଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ, ଜିଲ୍ଲା ସ୍ମୃତି କମିଟିର ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସେଠୀ ଜଣେ ଦରଦୀ ମଣିଷ ଥିଲେ ବୋଲି ମତପୋଷଣ କରିଥିଲେ । ଭଦ୍ରକ ଜିଲ୍ଲା ତଥା ଓଡିଶା ରାଜ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅଜୟ କୁମାର ନାୟକ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର କୁମାର ବିଶ୍ୱାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ କୁମାର ରାୟ, ଜିଲ୍ଲା ବିଜେପି ଉପସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ପୂର୍ବତନ କାଉଁସିଲର ଦୁର୍ଗା ପ୍ରସନ ଦାସ, ପୂର୍ବତନ ସରପଚଂ ପଙ୍କଜିନୀ ଲେଙ୍କା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଅଧ୍ୟାପିକା ପ୍ରତିମା ସାହୁ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ସ୍ୱରଚିତ କବିତା ପାଠ କରିଥିଲେ । ଜୟନ୍ତୀ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ କୁମାର ସିଂହ ଉଦ୍ଦେଶ୍ୟ ଜ୍ଞାପନ ଓ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଗତ ବାର୍ଷିକ ହାଇସ୍କୁଲ୍ ପରୀକ୍ଷାରେ ବିଦ୍ୟାଳୟ ସ୍ତରୀୟ କୃତିତ୍ୱ ପାଇଁ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ଦାସ, ଆଶାମଣୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଗଙ୍ଗାଧର ମହାନ୍ତି, ଟିକିରା ସ୍କୁଲର ଶିକ୍ଷକ ଅମରେନ୍ଦ୍ର ଦାଶ ଏବଂ ପ୍ରବନ୍ଧ ପ୍ରତିଯୋଗିତାର ସୁପରିଚାଳନା ପାଇଁ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ପ୍ରକାଶ ଚନ୍ଦ୍ର ସାହୁ, ମୋହନ କୁମାର ମହାନ୍ତି,ଉପେନ୍ଦ୍ର କୁମାର ବିଶ୍ୱାଳ, କୈଳାସ ଚନ୍ଦ୍ର ଧଳ, ପଚାଂନନ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ କୃତୀ ଛାତ୍ରଛାତ୍ରୀ ଶବ୍ରସ୍ମିତା ସାହୁ, ଝରଣା ମହାନ୍ତି, ପ୍ରସନ୍ନଜିତ କବି, ପୃଥୀରାଜ ଦାସ, ଟି ଭେଙ୍କେଟେସ ନାଥ, ନିରଞ୍ଜନ ମାଝୀ, ପ୍ରିତୀପ୍ରଜ୍ଞା ନାୟକ, ବୈଷ୍ଣବୀ ଖିଲାର, ନନ୍ଦିନୀ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଶୋବନୀୟ ଶିକ୍ଷାଶ୍ରମର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । କମିଟିର ମହତାବମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମକର୍ତା କିଶୋରକିଙ୍କର ପଢିଆରୀ, ସନ୍ତୋଷ ନାୟକ, ଶିବାନନ୍ଦ ଦାସଅଧିକାରୀ, ପ୍ରଦୀପ ପୁହାଣ, ବସନ୍ତ ପତି, ସୁରେନ୍ଦ୍ର କର, କିରଣମୟ ବେହେରା, ରମାକାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସକାଳେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପରିସରରେ ବୃକ୍ଷରୋପଣ, ଆଗରପଡା ଡାକ୍ତରଖାନା ଓ ଗୋପିନାଥ ଜରାନିବାସରେ ଫଳ ବଂଟନ କରାଯାଇଥିଲା । ପରମେଶ୍ୱର ବାରିକ, ରାମଚନ୍ଦ୍ର ନାୟକ, କୈଳାସ ଚନ୍ଦ୍ର ଧଳ, ରାମଚନ୍ଦ୍ର ଦାସ, ମଦନ ଦାଶ, ବିଷ୍ଣୁ ପଣ୍ଡା, ବସନ୍ତ ନାୟକ ପ୍ରମୁଖ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ