
.
ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ଓଡ଼ିଶାର ଶିଳ୍ପାୟନକୁ ନେଇ ବିଜେଡି ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିଜେଡି ନିଜ ସରକାରର ବିଫଳତାର ନିକିତିରେ ବର୍ତମାନର ଶିଳ୍ପାୟନକୁ ମାପିବା ଉଚିତ ନୁହେଁ।
୨୦୨୬ରେ ଦେଶକୁ ଘୋଷିତ ଘରୋଇ ପୁଞ୍ଜିନିବେଶରେ ଓଡ଼ିଶାର ଅଂଶ ଜନସଂଖ୍ୟା ଅନୁପାତରୁ ଅଧିକ ରହିଛି। ଏପ୍ରିଲ ୧ରୁ ଅଗଷ୍ଟ ୫ ମଧ୍ୟରେ ଦେଶରେ ଘୋଷିତ ୨୬.୭୫ ଲକ୍ଷ କୋଟି ଟଙ୍କାର ନିବେଶରୁ ଓଡ଼ିଶାର ଅଂଶ ୨.୪ ଲକ୍ଷ କୋଟି ଟଙ୍କା ବୋଲି ସେ କହିଛନ୍ତି। ଏଥିସହ ୨୦୨୫ ଏପ୍ରିଲରୁ ୨୦୨୬ ଡିସେମ୍ବର ମଧ୍ୟରେ ଓଡ଼ିଶାକୁ ୩.୪୯ ଲକ୍ଷ କୋଟି ଟଙ୍କାର ନିବେଶ ଘୋଷଣା ହୋଇଥିବା ଦାବି କରିଛନ୍ତି।
ଏଫ୍ଡିଆଇ ପ୍ରସଙ୍ଗରେ ସେ କହିଛନ୍ତି, ୨୦୧୯ ଅକ୍ଟୋବରରୁ ୨୦୨୪ ଡିସେମ୍ବର ମଧ୍ୟରେ ଓଡ଼ିଶାକୁ ୧୭୨.୭୯ ନିୟୁତ ଡଲାର ଆସିଥିବା ବେଳେ ୨୦୨୫ ଏପ୍ରିଲରୁ ସେପ୍େଟମ୍ବର ମଧ୍ୟରେ ୪୭ ନିୟୁତ ଡଲାର ଆସିଥିବା ସେ ଦାବି କରିଛନ୍ତି। ୨୦୨୯ ସୁଦ୍ଧା ରାଜ୍ୟକୁ ୨୦୦ କୋଟି ଡଲାରର ଏଫ୍?ଡିଆଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି, ୨୦୧୬ ଓ ୨୦୧୮ରେ ଘୋଷିତ ୬.୨୬ ଲକ୍ଷ କୋଟି ଟଙ୍କାର ନିବେଶ ମଧ୍ୟରୁ ମାତ୍ର ୫,୬୭୪.୫୬ କୋଟି ଟଙ୍କା ବିନିଯୋଗ ହୋଇଥିଲା। ବର୍ତମାନ ସରକାର ଖଣି ଓ ଧାତବ ଶିଳ୍ପ ବାହାରେ ସେମିକଣ୍ଡକ୍ଟର, ଏଆଇ, ଡାଟା ସେଣ୍ଟର ଓ ଅନ୍ୟାନ୍ୟ ଜ୍ଞାନଭିତିକ କ୍ଷେତ୍ରରେ ନିବେଶ ଉପରେ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ, ବିଜେପି ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଠ ମୁଖ୍ୟ ତପନ କୁମାର ଚାନ୍ଦ କହିଛନ୍ତି, ଶିଳ୍ପର ବିବିଧତା ଓ ଗତି ବଢ଼ାଇବାରେ ପୂର୍ବ ସରକାର ବିଫଳ ହୋଇଥିଲେ। ବର୍ତମାନ ୧୨ଟି କ୍ଷେତ୍ରରେ ଶିଳ୍ପାୟନ ପାଇଁ ପଦକ୍ଷେପ ନିଆଯାଉଥିବା ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ ଓ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା