

ସମ୍ବଲପୁର, ୧୯, ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲାର ଖିଣ୍ଡାସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ସଂରକ୍ଷଣ, ପରିବେଶ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏନ୍ଏଲସି ଇଣ୍ଡିଆ ଲିମିଟେଡ୍ ଏବଂ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱାକ୍ଷର ସମାରୋହରେ ଏନ୍ଏଲସିଆଇଏଲ୍ ତାଳବିରା-୨ ଓ ୩ ଓସିପିର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ତଥା ପ୍ରୋଜେକ୍ଟ ମୁଖ୍ୟ ଜଗଦୀଶ ଚନ୍ଦ୍ର ମଜୁମଦାର ଏବଂ ରେଙ୍ଗାଲି ବ୍ଲକ୍ ବିଡିଓ ପ୍ରୀତମ କୁମାର ତାନ୍ତୀ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଏନ୍ଏଲସିଆଇଏଲ୍ ର ସିଜିଏମ୍ ରଘୁନାଥ ବେହେରା, ସମ୍ବଲପୁର ମହାନଗର ନିଗମର କମିଶନର ରୋହନ ଖତ୍ରୀଙ୍କ ସମେତ ଏନ୍ଏଲସିଆଇଏଲ୍ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୁଝାମଣା ପତ୍ର ଅନୁଯାୟୀ, ଏନ୍ଏଲସିଆଇଏଲ୍ ପକ୍ଷରୁ ତିନି ବର୍ଷ ଅବଧି ପାଇଁ ୧ କୋଟି ୦୧ ଲକ୍ଷ ୦୮ ହଜାର ୪୯୪ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଅର୍ଥରାଶି ଐତିହ୍ୟ ସ୍ଥଳୀର ସଂରକ୍ଷଣ, ପରିବେଶ ସୁରକ୍ଷା, ପରିଷ୍କାର-ପରିଚ୍ଛନ୍ନତା, ଲ୍ୟାଣ୍ଡସ୍କେପିଂ, ଉଦ୍ୟାନ ପରିଚାଳନା, ସାଧାରଣ ରକ୍ଷଣାବେକ୍ଷଣ ଏବଂ ପରିସରର ୱାଚ୍ ଏଣ୍ଡ ୱାର୍ଡ ବ୍ୟବସ୍ଥା ଭଳି କାର୍ଯ୍ୟରେ ବ୍ୟବହାର ହେବ। ଖିଣ୍ଡାସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳୀ। ଏହାର ଐତିହାସିକ, ସାଂସ୍କୃତିକ ଓ ଭାବନାତ୍ମକ ଗୁରୁତ୍ୱ ରହିଛି। ଏହି ଐତିହ୍ୟ ସ୍ଥଳୀ ଏନ୍ଏଲସିଆଇଏଲ୍ ତାଳବିରା-୨ ଓ ୩ ଓପନ୍ କାଷ୍ଟ ପ୍ରୋଜେକ୍ଟ ନିକଟରେ ଅବସ୍ଥିତ ହୋଇଥିବାରୁ ପ୍ରକଳ୍ପ ପ୍ରଭାବିତ ଗ୍ରାମ ଓ ଆଖପାଖ ଅଞ୍ଚଳ ପାଇଁ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି।
ଏହି ସହଯୋଗ ମାଧ୍ୟମରେ ଐତିହ୍ୟସ୍ଥଳୀର ଦୀର୍ଘକାଳୀନ ସଂରକ୍ଷଣ, ପରିବେଶର ଉନ୍ନତି ଓ ସୁଚାରୁ ରକ୍ଷଣାବେକ୍ଷଣରେ ସହାୟତା ମିଳିବ। ବୁଝାମଣା ରେ ନିର୍ଦ୍ଧାରିତ ବ୍ୟବସ୍ଥା ଓ ସହମତ ସର୍ତ୍ତାବଳୀ ଅନୁଯାୟୀ କାର୍ଯ୍ୟଗୁଡ଼ିକର ରୂପାୟଣ ଓ ଐତିହ୍ୟସ୍ଥଳୀର ରକ୍ଷଣାବେକ୍ଷଣ ସମ୍ବଲପୁର ଜିଲ୍ଲା ପ୍ରଶାସନ ତଦାରଖ କରିବ। ଏନ୍ଏଲସି ଇଣ୍ଡିଆ ଲିମିଟେଡ୍ କୋଇଲା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଏକ ‘ନବରତ୍ନ’ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ। କମ୍ପାନୀ ଲିଗ୍ନାଇଟ୍ ଓ କୋଇଲା ଖଣି ଉତ୍ତୋଳନ, ବିଦ୍ୟୁତ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ଥିବା ସହ ଓଡ଼ିଶାରେ ତାଳବିରା-୨ ଓ ୩ ଓପନ୍ କାଷ୍ଟ ପ୍ରୋଜେକ୍ଟ ପରିଚାଳନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ