
ନୂଆପଡ଼ା,୧୯ ସେପ୍ଟେମ୍ବର (ହି.ସ.) - ଭାରତୀୟ ଜନତା ପାର୍ଟି ନୂଆପଡ଼ା ଜିଲ୍ଲା ପ୍ରଭାରୀ ଆର୍ତତ୍ରାଣ ମହାପାତ୍ରଙ୍କ ମାର୍ଗଦର୍ଶନ ଏବଂ ଜିଲ୍ଲା ସଭାପତି କମଳେଶ ଦୀକ୍ଷିତଙ୍କ ସଭାପତିତ୍ୱରେ ଶନିବାର ଖଡ଼ିଆଳ ବିଧାନସଭା କ୍ଷେତ୍ରର ଦୁଇଟି ସ୍ଥାନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି।
ବୋଡ଼େନ ବ୍ଲକ୍ ଅନ୍ତର୍ଗତ ପାତାଳଗଙ୍ଗା ଠାରେ ସିନାପାଲିର ୩ଟି ଓ ବୋଡ଼େନର ୨ଟି ମଣ୍ଡଳକୁ ନେଇ ବୈଠକ ହୋଇଥିବା ବେଳେ, ଖଡ଼ିଆଳ ମୁକ୍ତାପୁର ସ୍ଥିତ ଖଡ଼ିଆଳ-ପାଟଣା କ୍ଷତ୍ରୀୟ ସମାଜ ଭବନରେ ଖଡ଼ିଆଳର ୪ଟି ମଣ୍ଡଳକୁ ନେଇ ଅନ୍ୟ ଏକ ବୈଠକ ହୋଇଥିଲା। ଦୁଇଟି ବୈଠକରେ ମୋଟ ୯ଟି ମଣ୍ଡଳର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା।
ବୈଠକରେ ଦଳର ‘ସେବା ସଂକଳ୍ପ ଅଭିଯାନ’କୁ ବୁଥସ୍ତର ପର୍ଯ୍ୟନ୍ତ ପହଂଚାଇବା ଏବଂ ଅଧିକରୁ ଅଧିକ ଜନସାଧାରଣଙ୍କୁ ଏହା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ସେବା, ସୁଶାସନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ‘ବିକଶିତ ଭାରତ’ ସଂକଳ୍ପକୁ ଜନସହଭାଗିତା ମାଧ୍ୟମରେ ଆଗେଇ ନେବା ନେଇ ଆଲୋଚନା ହୋଇଥିଲା। ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସାଙ୍ଗଠନିକ ପ୍ରସ୍ତୁତି, ମଣ୍ଡଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା, ବୁଥସ୍ତରରେ କାର୍ଯ୍ୟକର୍ତାଙ୍କ ସକ୍ରିୟ ଭୂମିକା ଏବଂ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ନେଇ ମତବିନିମୟ ହୋଇଥିଲା। ବୈଠକରେ ଜିଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନ ମଂଚ ପରିଚାଳନା କରିଥିଲେ। ଜିଲା ଉପସଭାପତି ଦେବଦେବ ପ୍ରସାଦ ସିଂଦେଓ, ରତ୍ନାନନ୍ଦ ମନହିରା, ଅବନି ଯୋଶୀ, ଜିଲା ସମ୍ପାଦକ ପ୍ରିୟରଞ୍ଜନ ମେହେର, ସଙ୍ଗୀତା ମାଝୀ, ପୂର୍ବତନ ଜିଲା ସଭାପତି ସୁବ୍ରତ ଠାକୁର, ଶିବପ୍ରସାଦ ମୁଣ୍ଡ, ଅତିନ୍ଦ୍ରଜିତ ସିଂହ ଏବଂ ଜିଲା ଚିକିତ୍ସା ପ୍ରକୋଷ୍ଠ ସଂଯୋଜକ ଡା. ସିଦ୍ଧାର୍ଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ୯ଟି ମଣ୍ଡଳର ସଭାପତି ନୀଳାମ୍ବର ମେହେର, ପୁସ୍ତମ ମଶ୍ରା, କୃତିବାସ ତେଜି, କୁମ୍ଭ ବାଗ, ଜୟରାମ କୈବର୍ତ, ସୁଶାନ୍ତ ବିଶି, ଯୁଧିଷ୍ଠିର ହଂସ ଓ ରତ୍ନାକର ହଂସଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାଳକୃଷ୍ଣ ସବର, ମଣ୍ଡଳସ୍ତରୀୟ ପଦାଧିକାରୀ ଓ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ। ବୈଠକରେ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା, କାର୍ଯ୍ୟକର୍ତାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ଜନସମ୍ପର୍କ ଓ ସେବାମୂଳକ କାର୍ଯ୍ୟକୁ ବ୍ୟାପକ କରିବା ନେଇ ଆଗାମୀ କାର?୍ୟ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ