


କନ୍ଧମାଳ, ୧୯ ସେପ୍ଟେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ା, ନିଜକୁ ଆର୍ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ(ଏମ୍ଭିଆଇ) ଭାବେ ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାରଙ୍ଗଡ଼ା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ନକଲି ୟୁନିଫର୍ମ ପିନ୍ଧି ଗାଡ଼ି ଯାଂଚ କରିବା ସହ ବିବାହ ପ୍ରତିଶ୍ରୁତି ଦେଇ ଏକାଧିକ ମହିଳାଙ୍କୁ ଆର୍ôଥକ ଓ ଅନ୍ୟାନ୍ୟ ଭାବେ ଶୋଷଣ କରୁଥିବା ପୁଲିସ କହିଛି। ଏହି ସଂକ୍ରାନ୍ତରେ ସାରଙ୍ଗଡ଼ା ଥାନାରେ ଏକ ମାମଲା ୧୩୨/୧୭.୦୯.୨୦୨୬ ରୁଜ୍ଜୁକରି ମାମଲାର ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରା(୩୦), ପିତା- ସୋମନାଥ ବେହେରା, ଗ୍ରାମ- ଚକାପଦା, ଟୋଟାସାହି, ଥାନା- ଚକାପଦା, ଜିଲ୍ଲା- କନ୍ଧମାଳ। ସେ ନିଖିଲ କୁମାର ପଟ୍ଟନାୟକ ନାମରେ ମଧ୍ୟ ପରିଚୟ ଦେଉଥିବା ପୁଲିସ ପ୍ରେସ୍ ନୋଟ୍ରେ ଉଲ୍ଲେଖ ରହିଛି।
ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ପ୍ରାୟ ଏକବର୍ଷ ପୂର୍ବେ ବିବାହ ପ୍ରସ୍ତାବ ମାଧ୍ୟମରେ ଅଭିଯୋଗକାରୀଙ୍କ ସହ ପରିଚିତ ହୋଇଥିଲେ। ନିଜକୁ ଆର୍ଟିଓ ବିଭାଗର ଏମ୍ଭିଆଇ ଭାବେ ପରିଚୟ ଦେଇ ସେ ଅଭିଯୋଗକାରୀ ଓ ତାଙ୍କ ପରିବାରର ବିଶ୍ୱାସ ହାସଲ କରିଥିଲେ। ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ପ୍ରଭାବ ଥିବା ଏବଂ ନିୟମିତ ସରକାରୀ ଚାକିରି କରାଇଦେବାକୁ କହି ସେ ଟଙ୍କା ଯୋଗାଡ଼ କରିବାକୁ ଅଭିଯୋଗକାରୀଙ୍କୁ ପ୍ରବର୍ତାଇଥିବା ଅଭିଯୋଗ ହୋଇଛି।
ଏହି ଆଶ୍ୱାସନରେ ବିଶ୍ୱାସ କରି ଅଭିଯୋଗକାରୀ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ବିଭିନ୍ନ କିସ୍ତିରେ, ଗତ ୨୬.୦୯.୨୦୨୫ରୁ ୨୦.୦୧.୨୦୨୬ ମଧ୍ୟରେ ଫୋନପେ ମାଧ୍ୟମରେ ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତାକୁ ପଠାଇଥିବା ପୁଲିସ ଜାଣିପାରିଛି। ପରେ ଟଙ୍କା ଫେରସ୍ତ ମାଗିବାରୁ ଅଭିଯୁକ୍ତ ଫୋନ୍ ବନ୍ଦ କରିଦେଇଥିବା ଅଭିଯୋଗ ରହିଛି। ନକଲି ଏମ୍ଭିଆଇ ୟୁନିଫର୍ମରେ ଗାଡ଼ି ଯାଂଚ ପୁଲିସ କହିଛି ଯେ, ବିଶ୍ୱସନୀୟ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ପାବୁରିଆ ଛକ ନିକଟରୁ ଧରାଯାଇଥିଲା। ସେ ସମୟରେ ସେ ଓଏମ୍ଭିଡି ୟୁନିଫର୍ମ ପିନ୍ଧିଥିବା ସହ ଗାଡ଼ିରେ କମଳା ରଙ୍ଗର ଲାଇଟ୍ ବ୍ୟବହାର କରୁଥିଲେ। ଏହା ମାଧ୍ୟମରେ ସେ ନିଜକୁ ଜଣେ ଅଧିକୃତ ମୋଟର ଯାନ ନିରୀକ୍ଷକ ଭାବେ ଦର୍ଶାଉଥିବା ପୁଲିସର ଅଭିଯୋଗ। ପଚରାଉଚରା ସମୟରେ ଅଭିଯୁକ୍ତ ନିଜକୁ ସଡ଼କ ପରିବହନ ବିଭାଗର ଏମ୍ଭିଆଇ ଭାବେ ପରିଚୟ ଦେଇ ଅଭିଯୋଗକାରୀଙ୍କ ସମେତ ଅନ୍ୟ ଲୋକଙ୍କୁ ଠକିଥିବା ସ୍ୱୀକାର କରିଥିବା ପୁଲିସ ପ୍ରେସ ନୋଟ୍ରେ କୁହାଯାଇଛି।
ପୁଲିସ ଅନୁସନ୍ଧାନରେ ଆହୁରି ଜଣାପଡ଼ିଥିବା ଅନୁସାରେ, ଅଭିଯୁକ୍ତ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଭାବେ ଅନଧିକୃତ ମୋଟର ଯାନ ଯାଂଚ କରୁଥିଲେ। ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜକୁ ସରକାରୀ ଅଧିକାରୀ ଭାବେ ଉପସ୍ଥାପନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାସହ ସେ ଏକାଧିକ ମହିଳାଙ୍କୁ ବିବାହ ପ୍ରସ୍ତାବ ପଠାଇ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଆର୍ôଥକ ଓ ଯୌନଶୋଷଣ କରୁଥିବା ଅଭିଯୋଗ ପୁଲିସ ତଦନ୍ତରେ ସାମ୍ନାକୁ ଆସିଛି। ଠକେଇରୁ ମିଳିଥିବା ଟଙ୍କା ସେ ବିଳାସପୂର୍ଣ୍ଣ ଜୀବନଯାପନରେ ବ୍ୟବହାର କରୁଥିବା ପୁଲିସ କହିଛି। ବହୁ ସାମଗ୍ରୀ ଜବତ ଅଭିଯୁକ୍ତଙ୍କ ଠାରୁ ପୁଲିସ ନିଖିଲ କୁମାର ପଟ୍ଟନାୟକ ନାମ ଥିବା ଓଏମଭଡି ୟୁନିଫର୍ମ, ଗୋଟିଏ ପୁଲିସ ରେନ୍ କୋଟ୍, କମଳା ଲାଇଟ୍ ଲାଗିଥିବା ମାରୁତି ଏର୍ଟିଗା, ଗୋଟିଏ ମାରୁତି ଆଲ୍ଟୋ, ଧର୍ମେଶ କୁମାର ପଟ୍ଟନାୟକ ନାମରେ ଦୁଇଟି ନେମ୍ପ୍ଲେଟ୍, ସଡ଼କ ପରିବହନ ବିଭାଗର ୟୁନିଫର୍ମ ପିନ୍ଧିଥିବା ଫଟୋ, ମୋବାଇଲ୍ ଫୋନ୍, ଏସ୍ବିଆଇ ପାସ୍ବୁକ୍, ଆଧାର କାର୍ଡ଼ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପ୍ରମାଣପତ୍ର ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ବଲ୍ଲିଗୁଡ଼ା ସବ୍ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ଆହୁରି କେତେଜଣ ଲୋକ ଠକେଇର ଶିକାର ହୋଇଛନ୍ତି ଏବଂ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ