

ନୂଆଦିଲ୍ଲୀ, ୧୯ ସେପ୍ଟେମ୍ବର (ହି.ସ.) ବିକାଶଶୀଳ ଦେଶଗୁଡ଼ିକ ପାଇଁ ଗବେଷଣା ଓ ସୂଚନା ବ୍ୟବସ୍ଥା (ଆରଆଇଏସ୍) ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସେମିନାରରେ ଭାରତ ଓ ନେପାଳ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା, ଆର୍ଥିକ ସହଯୋଗ ଏବଂ ସାମୂହିକ ବିକାଶକୁ ନୂଆ ପର୍ଯ୍ୟାୟକୁ ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ନେପାଳର ଅର୍ଥମନ୍ତ୍ରୀ ଡ. ସ୍ୱର୍ଣ୍ଣିମ ୱାଗ୍ଲେ କହିଛନ୍ତି ଯେ ଐତିହାସିକ ଓ ଗଭୀର ସମ୍ପର୍କର ମଜବୁତ ଭିତ୍ତି ଉପରେ ଭାରତ ଓ ନେପାଳ ମଧ୍ୟରେ ଅଧିକ ମହତ୍ୱାକାଂକ୍ଷୀ ଭାଗିଦାରୀ ଗଢ଼ିବାର ସୁଯୋଗ ରହିଛି।
‘ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ଭାରତ-ନେପାଳ ସମ୍ପର୍କର ନୂଆ ପରିକଳ୍ପନା’ ଶୀର୍ଷକରେ ଶନିବାର ଆୟୋଜିତ ଏହି ସେମିନାରରେ ନେପାଳର ଅର୍ଥମନ୍ତ୍ରୀ ଡ. ସ୍ୱର୍ଣ୍ଣିମ ୱାଗ୍ଲେ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ଉତ୍ତର) ମୁନୁ ମହାୱର, ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସର ନିର୍ଦ୍ଦେଶକ ପ୍ରଫେସର ରାମ ସିଂହ, ଭାରତର ପୂର୍ବତନ ବୈଦେଶିକ ସଚିବ ତଥା ଆର୍ଆଇଏସ୍ର ପୂର୍ବତନ ଅଧ୍ୟକ୍ଷ ଶ୍ୟାମ ଶରଣ, ଆର୍ଆଇଏସ୍ର ଗଭର୍ଣ୍ଣିଂ ବୋର୍ଡ ଓ ଗଭର୍ଣ୍ଣିଂ କାଉନସିଲ୍ ସଦସ୍ୟ ଡ. ଶେଷାଦ୍ରି ଚାରୀ ଏବଂ ଆର୍ଆଇଏସ୍ର ମହାନିର୍ଦ୍ଦେଶକ ପ୍ରଫେସର ସଚିନ କୁମାର ଶର୍ମାଙ୍କ ସମେତ ବହୁ ନୀତି ନିର୍ଦ୍ଧାରକ, କୂଟନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ରଣନୀତିକ ବିଶେଷଜ୍ଞ ଯୋଗ ଦେଇଥିଲେ।
ସେମିନାରରେ ଭାରତ-ନେପାଳ ସମ୍ପର୍କର ଭବିଷ୍ୟତ ଦିଗ, ବାଣିଜ୍ୟ ଓ ନିବେଶ, ଯୋଗାଯୋଗ ବ୍ୟବସ୍ଥା, ଶକ୍ତି ସହଯୋଗ, ପର୍ଯ୍ୟଟନ, ଡିଜିଟାଲ ଓ ଆର୍ଥିକ ସଂଯୋଗ, ସୀମାପାର ଉତ୍ପାଦନ ନେଟୱର୍କ ଏବଂ ସାମୂହିକ ବିକାଶ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଡ. ସ୍ୱର୍ଣ୍ଣିମ ୱାଗ୍ଲେ କହିଥିଲେ ଯେ ଭାରତ ଓ ନେପାଳର ସମ୍ପର୍କ କେବଳ ଦୁଇ ପଡ଼ୋଶୀ ଦେଶର ସମ୍ପର୍କ ନୁହେଁ। ଏହା ସମାନ ଇତିହାସ, ସଂସ୍କୃତି, ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଏବଂ ଆର୍ଥିକ ସହଯୋଗ ଉପରେ ଆଧାରିତ। ସୀମାପାର ଯୋଗାଯୋଗ, ଶକ୍ତି ବାଣିଜ୍ୟ, ନିବେଶ ଏବଂ ଆଞ୍ଚଳିକ ଆର୍ଥିକ ଏକୀକରଣକୁ ନୂଆ ଉଚ୍ଚତାକୁ ନେବା ପାଇଁ ଉଭୟ ଦେଶ ପାଖରେ ସୁଯୋଗ ରହିଛି। ପାରମ୍ପରିକ ସହଯୋଗଠାରୁ ଆଗକୁ ବଢ଼ି ଏଭଳି ନୂଆ ବ୍ୟବସ୍ଥା ବିକଶିତ କରିବାର ସମୟ ଆସିଛି, ଯାହା ଉଭୟ ଦେଶର ନାଗରିକଙ୍କ ଜୀବନରେ ପ୍ରତ୍ୟକ୍ଷ ଆର୍ଥିକ ଲାଭ ପହଞ୍ଚାଇବା ସହ ଆଞ୍ଚଳିକ ବିକାଶର ଏକ ମଡେଲ୍ ପ୍ରସ୍ତୁତ କରିପାରିବ।
ମୁନୁ ମହାୱର କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ନେପାଳ ବିଦ୍ୟୁତ ବାଣିଜ୍ୟ, ସଡ଼କ ଓ ରେଳ ଯୋଗାଯୋଗ, ପେଟ୍ରୋଲିୟମ ପାଇପ୍ଲାଇନ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ଏହି ଉପଲବ୍ଧିକୁ ଆଧାର କରି ଉଭୟ ଦେଶକୁ ଏଭଳି ବଡ଼ ଓ ପରିବର୍ତ୍ତନକାରୀ ପଦକ୍ଷେପ ଉପରେ ଆଗକୁ ବଢ଼ିବାକୁ ହେବ, ଯାହା ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ସାକାର ହୋଇପାରିନାହିଁ। ଉଭୟ ଦେଶ ନିଜର ସମ୍ଭାବନା ଅନୁଯାୟୀ ଲକ୍ଷ୍ୟ ଧାର୍ଯ୍ୟ କଲେ ଦ୍ୱିପାକ୍ଷିକ ସହଯୋଗର ପରିସର ବର୍ତ୍ତମାନର ସ୍ତରଠାରୁ ଆହୁରି ବ୍ୟାପକ ହୋଇପାରିବ।
ପ୍ରଫେସର ରାମ ସିଂହ କହିଥିଲେ ଯେ ଭାରତ ଓ ନେପାଳ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ନିରନ୍ତରତା ଏବଂ ସାମାଜିକ ଆଧାର । ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ଘନିଷ୍ଠତା, ଖୋଲା ସୀମା ଏବଂ ସାଧାରଣ ସାଂସ୍କୃତିକ ଐତିହ୍ୟ ବିଶ୍ୱରେ ଏକ ଅନନ୍ୟ ଉଦାହରଣ। ଆର୍ଥିକ ବିକାଶ ଓ ସମୃଦ୍ଧି ପାଇଁ ଏହି ସମ୍ପର୍କକୁ ଆହୁରି ଅନୁଷ୍ଠାନିକ ଓ ଆଧୁନିକ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ନେପାଳର ବିକାଶ ଯାତ୍ରାକୁ ଅଧିକ ଗତି ମିଳିପାରିବ।
ଡ. ଶେଷାଦ୍ରି ଚାରୀ କହିଥିଲେ ଯେ ଭାରତ ଓ ନେପାଳକୁ ଏଭଳି କ୍ଷେତ୍ର ଚିହ୍ନଟ କରିବା ଆବଶ୍ୟକ, ଯେଉଁଠାରେ ସହଯୋଗର ଠୋସ ଓ ବ୍ୟବହାରିକ ପରିଣାମ ଶୀଘ୍ର ସାମ୍ନାକୁ ଆସିପାରିବ। ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି, ଆର୍ଥିକ ସୁଯୋଗର ବିସ୍ତାର ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ଉଭୟ ଦେଶକୁ ଏକ ସାଧାରଣ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବାକୁ ହେବ।
ପ୍ରଫେସର ସଚିନ କୁମାର ଶର୍ମା କହିଥିଲେ ଯେ ବାଣିଜ୍ୟ, ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଓ ବିକାଶ ସହଭାଗିତା କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ମଜବୁତ ପରସ୍ପର ପରିପୂରକତା ରହିଛି। ଉଭୟ ଦେଶର ସମ୍ପର୍କ ଘନିଷ୍ଠତାର ପର୍ଯ୍ୟାୟକୁ ଅତିକ୍ରମ କରି ବର୍ତ୍ତମାନ ସାମୂହିକ ସମୃଦ୍ଧି ଦିଗରେ ଆଗକୁ ବଢ଼ିବା ଆବଶ୍ୟକ। ଏଥିପାଇଁ ପାରସ୍ପରିକ ପ୍ରତିବନ୍ଧକଗୁଡ଼ିକୁ ହ୍ରାସ କରିବା, ଯୋଗାଯୋଗ ବୃଦ୍ଧି କରିବା ଏବଂ ଆର୍ଥିକ ସୁଯୋଗର ବିସ୍ତାର ଆବଶ୍ୟକ ବୋଲି ସେ କହିଥିଲେ।
ସେମିନାରରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ପରିବର୍ତ୍ତିତ ବିଶ୍ୱ ଆର୍ଥିକ ଓ ରଣନୀତିକ ପରିସ୍ଥିତି ଉପରେ ମଧ୍ୟ ମତବିନିମୟ କରିଥିଲେ। ଭୂ-ଅର୍ଥନୈତିକ ବିଖଣ୍ଡନ, ପରିବର୍ତ୍ତିତ ବାଣିଜ୍ୟ ଓ ଶିଳ୍ପ ନୀତି, ବୈଷୟିକ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ, ଶକ୍ତି ଓ ଖାଦ୍ୟ ସୁରକ୍ଷା ଏବଂ ବିକାଶଶୀଳ ଦେଶଗୁଡ଼ିକ ସାମ୍ନା କରୁଥିବା ନୂଆ ଆହ୍ୱାନ ସେମିନାରର ପ୍ରମୁଖ ଆଲୋଚନାର ବିଷୟ ରହିଥିଲା।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ