

Odisha, 19 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା, କ୍ରୀଡ଼ା ଛାତ୍ରଛାତ୍ରୀ ମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ ବୋଲି ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ ଅବସରରେ ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ | ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ ଗୁରୁଜଙ୍ଗ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବରେ ଜିଲ୍ଲା କ୍ରୀଡ଼ା ସମ୍ପାଦକଙ୍କ ସଂଯୋଜନାରେ ଶିକ୍ଷୟିତ୍ରୀ ରେବତୀ ପଣ୍ଡା ମଞ୍ଚ ସଞ୍ଚଳନା କରିଥିଲେ | ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଡ଼ଃ ପ୍ରଜ୍ଞା ପରିମିତା ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ମୋଦୀ, ଟାଇକୋଣ୍ଡା ଜାତୀୟ ସ୍ତରୀୟ ଖେଳାଳୀ ତଥା ଗୁରୁଜଙ୍ଗ ପଞ୍ଚୁଦୋଳ କମିଟି ସଭାପତି ରାକେଶ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୌତମ କୁମାର ପଟ୍ଟଯୋଶୀ, ସମାଜସେବୀ ଅଖିଳ କୁମାର ପଲାଇ ପ୍ରମୁଖ ମଞ୍ଚାସିନ ରହିଥିଲେ | ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା | ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଧୂପଦୀପ ପ୍ରଦାନ, ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାୟନ, ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ତତସହିତ ମୁଖ୍ୟଅତିଥିଙ୍କ କରକମଳରେ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟନ କରାଯାଇଥିଲା | ବାଲିପାଟଣା, ବାଲିଅନ୍ତା, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ଟାଙ୍ଗୀ, ଚିଲିକା, ବାଣପୁର, ବେଗୁନିଆ ଓ ବୋଲଗଡ଼ ପ୍ରମୁଖ ସମସ୍ତ ୧୦ଗୋଟି ବ୍ଲକରୁ ୪୪୦ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଖେଳ ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ | ଏହି ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବାସ୍କେଟବଲ, ରଗବୀ, ବ୍ୟାଡ଼ମିଣ୍ଟନ, ଟେବୁଲ ଟେନିସ ଓ ଟାଇକୋଣ୍ଡା କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା | ଗୁରୁଜଙ୍ଗ ପିଏମଶ୍ରୀ ସରକାରୀ ବିଦ୍ୟାଳୟ, ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଓ ଖୋର୍ଦ୍ଧା ଇନଡୋର ଷ୍ଟାଡିୟମରେ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା | କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ