
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଏନ୍ସିଓଆର୍ଡି ବୈଠକ
ନୂଆପଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର (ଏନ୍ସିଓଆର୍ଡି) ମେକାନିଜମ୍ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାରେ ମାଦକଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ରୋକିବା, ମାଦକ ବିରୋଧୀ ସଚେତନତାକୁ ବ୍ୟାପକ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟପଦ୍ଧତିକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରାରମ୍ଭରେ ଡିଏସ୍ପି (ହେଡକ୍ୱାର୍ଟର୍ସ) ସ୍ୱାଧୀନ ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାରେ ଅବକାରୀ ଆଇନ ଉଲ୍ଲଂଘନ ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ଚାଲିଥିବା ବ୍ୟାପକ ପ୍ରବର୍ତ୍ତନମୂଳକ ଅଭିଯାନ ସମ୍ପର୍କରେ ସେ ଅବଗତ କରାଇଥିଲେ।
ବୈଠକରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମାଦକ ବିରୋଧରେ କରାଯାଇଥିବା ପ୍ରବର୍ତ୍ତନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଥିଲା।
ମାଦକଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ଉପରେ ନଜରଦାରୀ ବଢ଼ାଇବା ସହ କ୍ଷେତ୍ରସ୍ତରରେ ନିୟମିତ ଯାଞ୍ଚ ଓ ଚଢ଼ଉ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଦୋକାନଗୁଡ଼ିକରେ ନିୟମିତ ଯାଞ୍ଚ ଓ ଚଢ଼ଉ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାରେ ଅବୈଧ ଭାବେ ଗଞ୍ଜେଇ ଚାଷ ରୋକିବା ପାଇଁ ବନ ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷ ସମ୍ପର୍କରେ ଯାଞ୍ଚ କରିବା ଏବଂ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିଲେ।
ମାଦକ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସଚେତନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲା ଯୁବ ଅଧିକାରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଯୁବବର୍ଗଙ୍କ ମଧ୍ୟରେ ମାଦକ ବିରୋଧୀ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ କୁହାଯାଇଥିଲା। ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାର୍ଟ ବ୍ଲାକ୍ବୋର୍ଡ ମାଧ୍ୟମରେ ମାଦକଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାକୁ କହିଥିଲେ।
ମାଦକମୁକ୍ତ ଗାଁ ଗଠନ ପାଇଁ ଜିଲ୍ଲାର ଏକ ଗାଁକୁ ପ୍ରଥମ ପର୍ଯ୍ୟାୟରେ ଗ୍ରହଣ କରିବା ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଖୁଦପେଜ ଗ୍ରାମପଞ୍ଚାୟତର ଖୁଦପେଜ ଗାଁକୁ ପ୍ରଥମ ପର୍ଯ୍ୟାୟରେ ‘ନିଶା ମୁକ୍ତ ଗାଁ’ ଭାବେ ବିକଶିତ କରିବା ପାଇଁ ଗ୍ରହଣ କରାଯିବ। ଏଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ସମନ୍ୱିତ ଭାବେ କାର୍ଯ୍ୟ କରିବେ।
ବୈଠକରେ ଉପଜିଲ୍ଲାପାଳ ସୁର୍ମୀ ସୋରେନ, ସିଡିଏମ୍ଓ ଡ. ଇଶାନୀ ମିତ୍ର, ସିଡିଏଓ ପ୍ରଣତିରାଣୀ ପ୍ରଧାନ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା ଯୁବ ଅଧିକାରୀ ଅଙ୍କିତ କୁମାର ଶର୍ମା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଇନ୍ସପେକ୍ଟର ଅଫ୍ ପୋଲିସ ବି. ରୁଦ୍ରିୟା, ଡ୍ରଗ୍ସ ଇନ୍ସପେକ୍ଟର ସୁନୀତା ନାଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ