ମ୍ୟାଲେରିଆ ମୁକ୍ତ ଅଭିଯାନ ପଞ୍ଚାୟତ ନେତୃତ୍ଵରେ ବଣ୍ଡାଘାଟିରେ ଜନଆନ୍ଦୋଳନ
ମାଲକାନଗିରି,୧୯ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତରେ ମ୍ୟାଲେରିଆ ମୁକ୍ତ ଅଭିଯାନ ଆରମ୍ଭ ହୋଇଯାଇଛି। ମ୍ୟାଲେରିଆ ନିରାକରଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ପିରାମଲ୍ ଫାଉଣ୍ଡେସନ୍, ଜିଲ୍
ମ୍ୟାଲେରିଆ ମୁକ୍ତ   ଅଭିଯାନ ପଞ୍ଚାୟତ ନେତୃତ୍ୱରେ ବଣ୍ଡାଘାଟିରେ ଜନଆନ୍ଦୋଳନ


ମାଲକାନଗିରି,୧୯ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତରେ ମ୍ୟାଲେରିଆ ମୁକ୍ତ ଅଭିଯାନ ଆରମ୍ଭ ହୋଇଯାଇଛି। ମ୍ୟାଲେରିଆ ନିରାକରଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ପିରାମଲ୍ ଫାଉଣ୍ଡେସନ୍, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଅନୁକୂଲ୍ୟରେ ଏବଂ ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତର ପ୍ରତ୍ୟକ୍ଷ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହି ସଚେତନତା କାର୍ଯ୍ୟକ୍ରମରେ ସମ୍ବାରୀ ମୁଦୁଲି ପୌରୋହିତ୍ୟ ଅଧ୍ୟକ୍ଷତା କରିଥିବା ବେଳେ ସରପଞ୍ଚ ସମ୍ବାରୀ ଧାଙ୍ଗଡ଼ା ମାଝୀ, ନାଏବ ସରପଞ୍ଚ ସୂର୍ଯ୍ୟ କିର୍ସାନୀ ଏବଂ ତୁଲାଗୁରୁମ୍ ର ୱାର୍ଡ ମେମ୍ବର ଶୁକ୍ର କିର୍ସାନୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ଆସନ୍ତୁ, ମିଶିକରି ମ୍ୟାଲେରିଆକୁ ରୋକିବା ପ୍ରତ୍ୟେକ ଜ୍ୱର ପରୀକ୍ଷା କରିବା, ପ୍ରତ୍ୟେକ ରୋଗୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଦେବା ସ୍ଲୋଗାନ୍ ସହ ଶୁଭାରମ୍ଭ ହୋଇଥିବା ଏହି ଅଭିଯାନରେ ଗ୍ରାମର ପ୍ରତ୍ୟେକ ପରିବାରକୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପିରାମଲ୍ ଫାଉଣ୍ଡେସନ୍ ର ସ୍ୱେଚ୍ଛାସେବୀମାନେ ଗାଁ ଗାଁକୁ ଯାଇ ମ୍ୟାଲେରିଆ ପ୍ରତିରୋଧ ବିଷୟରେ ଜନସାଧାରଣଙ୍କୁ ବୁଝାଇବେ। ପ୍ରତିଦିନ ରାତିରେ ଶୋଇବା ସମୟରେ ନିୟମିତ ଭାବେ ମଶାରି ବ୍ୟବହାର କରି ପରିବାରକୁ ମଶା କାମୁଡ଼ାରୁ ସୁରକ୍ଷିତ ରଖନ୍ତୁ। ଜ୍ୱରକୁ ହାଲୁକା ଭାବେ ନନେଇ ତୁରନ୍ତ ମ୍ୟାଲେରିଆ ପରୀକ୍ଷା କରାନ୍ତୁ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ନିଅନ୍ତୁ।

ମ୍ୟାଲେରିଆ ପଜିଟିଭ୍ ବାହାରିଲେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ କ୍ରମେ ଔଷଧର ପୂରା କୋର୍ସ ସମ୍ପୂର୍ଣ୍ଣ କରନ୍ତୁ; ମଝିରୁ ଔଷଧ ବନ୍ଦ କରନ୍ତୁ ନାହିଁ।

ଏହି ଅବସରରେ ପିରାମଲ୍ ଫାଉଣ୍ଡେସନ୍ ର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର ରାଜାରାମ ମଲ୍ଲିକ ଓ ସ୍ୱାସ୍ଥ୍ୟକର୍ମୀ ଦୁର୍ଗା ପ୍ରସାଦ ସାହୁ ମ୍ୟାଲେରିଆ ନିୟନ୍ତ୍ରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ମ୍ୟାଲେରିଆ ମୁକ୍ତ ଅଭିଯାନ କେବଳ ଏକ ସଚେତନତା କାର୍ଯ୍ୟକ୍ରମ ନୁହେଁ, ଏହା ଆମ ଗାଁ, ଆମ ପରିବାର ଏବଂ ଆମ ସମସ୍ତଙ୍କର ଏକ ସାମୂହିକ ସଂକଳ୍ପ।

କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ବଣ୍ଡାଘାଟିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଶପଥ ପାଠ କରାଯାଇଥିଲା। ମ୍ୟାଲେରିଆ ମୁକ୍ତ ମୁଦୁଲିପଡ଼ା ପଞ୍ଚାୟତ ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମର ଉଦଯାପନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande