ବିମାନବନ୍ଦରରେ ଯାତ୍ରୀ ସୁବିଧା ବୃଦ୍ଧିକୁ ଗୁରୁତ୍ଵ : ଯାତ୍ରୀ ସେବା ଅଭିଯାନର ତୃତୀୟ ଦିବସରେ ପାର୍କିଂ ଓ ଟ୍ରାଫିକ୍ ବ୍ୟବସ୍ଥା ତଦାରଖ
More emphasis on passanger safety
ବିମାନବନ୍ଦରରେ ଯାତ୍ରୀ ସୁବିଧା ବୃଦ୍ଧିକୁ ଗୁରୁତ୍ୱ


ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଚାଲିଥିବା ‘ଯାତ୍ରୀ ସେବା ଅଭିଯାନ-୨୦୨୬’ର ତୃତୀୟ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛ, ଶୃଙ୍ଖଳିତ ଓ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଅଭିଯାନ ଆରମ୍ଭରେ ବିମାନବନ୍ଦରର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିସରକୁ ସ୍ୱଚ୍ଛ, ସୁରକ୍ଷିତ ଓ ଯାତ୍ରୀ ଅନୁକୂଳ ରଖିବା ପାଇଁ ସ୍ୱଚ୍ଛତା ଶପଥ ନେଇଥିଲେ। ଏହାସହ ଯାତ୍ରୀଙ୍କ ଗମନାଗମନକୁ ସହଜ କରିବା ପାଇଁ ବିମାନବନ୍ଦରର ବିଭିନ୍ନ ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା।

ପାର୍କିଂ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଧାରିତ ପାର୍କିଂ ଶୁଳ୍କ ଫଳକକୁ ସ୍ପଷ୍ଟ ଭାବେ ପ୍ରଦର୍ଶନ କରାଯାଇଥିବା ବେଳେ ନିୟମାନୁସାରେ ଦେୟ ଆଦାୟ ହେଉଛି କି ନାହିଁ ତାହା ତଦାରଖ କରାଯାଇଥିଲା। ଟ୍ରାଫିକ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥରେ ବିଶେଷ ନଜର ରଖାଯିବା ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ମାର୍ଶାଲ ମୁତୟନ କରାଯାଇଛି।

ଯାତ୍ରୀମାନେ ଯେପରି ସହଜରେ ପାର୍କିଂ ସ୍ଥଳ, ଟ୍ୟାକ୍ସି ଓ ବସ୍ ଷ୍ଟାଣ୍ଡରେ ପହଞ୍ଚିପାରିବେ, ସେଥିପାଇଁ ଆବଶ୍ୟକ ସୂଚନା ଫଳକଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିଲା। ବିମାନବନ୍ଦର ପରିସରକୁ ଦଲାଲମୁକ୍ତ ଓ ସୁରକ୍ଷିତ ରଖିବା ସହ ଯାତ୍ରୀ ସେବାର ମାନ ବୃଦ୍ଧି ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ଭାରପ୍ରାପ୍ତ ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧଣ୍ଡିଆ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande