ଝାରସୁଗୁଡ଼ାରେ ହକିର ନୂଆ ଉତ୍ସାହ : ୫ ବର୍ଷରେ ୧୨ଶହରୁ ଅଧିକ ଖେଳାଳି, ୪୦ରୁ ଅଧିକ ସ୍କୁଲରେ ଚାଲିଛି ପ୍ରଶିକ୍ଷଣ, ଅକ୍ଟୋବରରେ ଅନ୍ତର୍ଜିଲ୍ଲାସ୍ତରୀୟ ୫-ଏ-ସାଇଡ୍ ହକି ଟୁର୍ଣ୍ଣାମେଣ୍ଟ
New josh in hockey in Jharsuguda
ଝାରସୁଗୁଡ଼ାରେ ହକିର ନୂଆ ଉତ୍ସାହ, ୫ ବର୍ଷରେ ୧୨ଶହରୁ ଅଧିକ ଖେଳାଳି


ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ହକି ଖେଳ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୨୨ରେ ଝାରସୁଗୁଡ଼ା ଜିଲ୍ଲା ହକି ଆସୋସିଏସନ ଗଠନ ହେବା ପରଠାରୁ ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ୧୨ଶହରୁ ଅଧିକ ହକି ଖେଳାଳି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବେଲପାହାଡ଼, ବ୍ରଜରାଜନଗର, ଲଇକେରା ଓ କିର୍ମିରା ବ୍ଲକର ୪୦ରୁ ଅଧିକ ସ୍କୁଲର ବାଳକ ଓ ବାଳିକା ହକି ପ୍ରଶିକ୍ଷଣ ନେଉଛନ୍ତି। ଆସୋସିଏସନ ପକ୍ଷରୁ ୩୮ଟି ସ୍କୁଲକୁ ଆଲଫା କମ୍ପାନୀର ହକି ସରଞ୍ଜାମ ଯୋଗାଇ ଦିଆଯାଇଛି। ଏଥିସହ ଆସୋସିଏସନର ନିଜସ୍ୱ ଉଦ୍ୟମରେ ଏକ ୱାଟର ବେସ୍ଡ ଟର୍ଫ ପଡ଼ିଆ ମଧ୍ୟ ନିର୍ମାଣ କରାଯାଇଛି। ଖେଳାଳିଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା ପାଇଁ ୩ ଜଣ ଦକ୍ଷ କୋଚ୍ଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲା ଶିକ୍ଷା ବିଭାଗର ସହଯୋଗରେ ୩ ଜଣ ରାଜ୍ୟସ୍ତରୀୟ ହକି ଖେଳାଳିଙ୍କୁ ବିଭିନ୍ନ ସ୍କୁଲରେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଆସନ୍ତା ଅକ୍ଟୋବର ୨୭ରୁ ଜିଲ୍ଲାରେ ଦ୍ୱିତୀୟ ସର୍ବଭାରତୀୟ ୫-ଏ-ସାଇଡ୍ ଅଣ୍ଡର-୧୭ ବାଳିକା ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏଥିରେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ୧୨ଟି ଦଳ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଆନ୍ତଃସ୍କୁଲ ହକି ପ୍ରତିଯୋଗିତାରେ ମଧ୍ୟ ୪୦ଟି ସ୍କୁଲ ଦଳ ଭାଗ ନେବେ।

ହକି ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ଓଡ଼ିଶା ହକି ଆସୋସିଏସନର ଉପସଭାପତି ଜୀବନ ମହାନ୍ତିଙ୍କ କହିବା ଅନୁଯାୟୀ, ଜିଲ୍ଲାର ୫୦ଟି ସ୍କୁଲକୁ ଯୋଡ଼ି ୧୫ଶହରୁ ଅଧିକ ଖେଳାଳି ସୃଷ୍ଟି କରିବା ଆସୋସିଏସନର ଲକ୍ଷ୍ୟ। ଆସୋସିଏସନର କାର୍ଯ୍ୟକଳାପକୁ ନେଇ ପ୍ରସ୍ତୁତ ୨୦ ମିନିଟର ଡକ୍ୟୁମେଣ୍ଟାରୀ ଫିଲ୍ମ ଏବଂ ୫ ବର୍ଷର ସ୍ମାରକୀ ପୁସ୍ତକକୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡ. ବୃନ୍ଦା ଡି. ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହଯୋଗରେ ଆସୋସିଏସନକୁ ୪ ଏକର ୮୦୦ ଡେସିମିଲ ଜମିର ପଟ୍ଟା ମଧ୍ୟ ମିଳିସାରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande