
ଭୁବନ, ୧୯ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଗତ ସୋମବାର ଠାରୁ ୨୧ଟି ପୂଜା ମଣ୍ଡପରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହେଉଛି । ୨୦୧୩ ମାଟ୍ରିକ ବ୍ୟାଚ୍ ଫ୍ରେଣ୍ଡସିପ କ୍ଲବ୍ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଇସ୍କୁଲ ପଡ଼ିଆ ( ମିନି ଷ୍ଟାଡିୟମ)ରେ ବୃନ୍ଦାବନ ପ୍ରେମ ମନ୍ଦିରର ଅବିକଳ ନକଲ କରି ରାଧାକୃଷ୍ଣଙ୍କ ସମେତ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା କରୁଛି। ବୃନ୍ଦାବନ ପ୍ରେମ ମନ୍ଦିର ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହେଉଛି । ଶନିବାର ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ଅପରାହ୍ନ ୫ଟା ଠାରୁ ହାଇସ୍କୁଲ ପଡ଼ିଆ ଲୋକାରଣ୍ୟ ହୋଯାଇଥିଲା। ସନ୍ଧ୍ୟା ପରଠାରୁ କାଳୀ ବଜାର ଠାରୁ ନୂଆ ବଜାର, ବ୍ଲକ ରୋଡ ଜନ ସମୁଦ୍ର ପାଲଟିଛି । ପ୍ରବଳ ଜନ ସମାଗମ ପାଇଁ ଅପରାହ୍ନ ୫ଟା ଠାରୁ ରାତ୍ର ୧୦ଟା ଯାଏ ଟ୍ରାଫିକ ନିୟନ୍ତ୍ରଣ କଡ଼ାକଡ଼ି କରାଯାଇଛି।
ଢେ଼ଙ୍କାନାଳ ପଟୁ ଅଟୋ, ବୋଲେରୋ, କାର ନେଇ ଆସୁଥିବା ଦର୍ଶକ ମାନେ ଗୋଡ଼ି ପୋଖରୀ ଛକରୁ ଉତ୍ତର ଦିଗ ସିନେମା ହଲ ରୋଡ ରେ ଆସି ଗାଡ଼ି ପାର୍କିଂ କରି ହାଇସ୍କୁଲ ପଡ଼ିଆକୁ ଯାଇପାରିବେ । ଯାଜପୁର ପଟୁ ଆସୁଥିବା ଦର୍ଶକମାନେ ନୀଳମାଧବ ପେଟ୍ରୋଲ ପମ୍ପ ଛକ ରୁ ବାଇପାସ୍ ଦେଇ ଯାତ୍ରା ପଡିଆ ଏବଂ କାମାକ୍ଷା ନଗର ପଟୁ ଆସୁଥିବା ଦର୍ଶକ ମାନେ ବାଇପାସ୍ କୋର୍ଟ ଛକ ଦେଇ ଯାତ୍ରା ପଡିଆରେ ସେମାନଙ୍କର ଚାରି ଚକିଆ ଗାଡ଼ି ରଖି ପୂଜା ମଣ୍ଡପ ବୁଲି ଦେଖିବାକୁ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ସୂଚନା ଦେଇଛନ୍ତି। ବାଇକ୍ ଆରୋହୀଙ୍କ ପାଇଁ ନୂଆ ବଜାର ଗୋଲାଘର ଛକରୁ ହାଇସ୍କୁଲ ପଡ଼ିଆକୁ ଯିବାକୁ ସମ୍ପୂର୍ଣ ବାରଣ କରାଯାଇ ୱାନ ୱେ ରୁଟ୍ କରାଯାଇଛି। ହୋଣ୍ଡା ସୋ ରୁମ୍ ଗଳି ଦେଇ ହାଇସ୍କୁଲ ଓ ଗାର୍ଲ୍ସ ହାଇସ୍କୁଲ ପାଚେରୀ କଡରେ ବାଇକ୍ ରଖିବାକୁ କୁହାଯାଇଛି।
ଫ୍ରେଣ୍ଡସିପ କ୍ଲବ୍ ତରଫରୁ ଶନିବାର ସନ୍ଧ୍ୟାରେ ଜାଭେଦ ଡ୍ୟାନ୍ସ ଗ୍ରୁପ୍, ରବିବାର ସନ୍ଧ୍ୟାରେ ସୌରଭ ଭରଦ୍ୱାଜ କୈବଲ୍ୟ ଭଜନ ମଞ୍ଚ ଓ ସୋମବାର ଡି ଜେ ନାଇଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଏଥିପାଇଁ ଆହୁରି ପ୍ରବଳ ଭିଡ ହେବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ