
ବଲାଙ୍ଗୀର, ୧୯ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ, ପୁଇଁତଳା ପୋଲିସ ଷ୍ଟେସନ ପକ୍ଷରୁ ଜବତ ଅଣ-ଏଫ୍.ଏ.କ୍ୟୁ. ଚାଉଳର ସାର୍ବଜନୀନ ନିଲାମ କରାଯିବ। ଯାଂଚ ଏବଂ ଗୁଣବତା ବିଶ୍ଳେଷଣ ଦଳ ଦ୍ୱାରା ଜବତ ଚାଉଳକୁ ଅଣ-ଏଫ୍.ଏ.କ୍ୟୁ. ବୋଲି ଘୋଷଣା କରାଯାଇଥିବାରୁ ଏହା ମାଧ୍ୟମରେ ବିତରଣ ପାଇଁ ଉପଯୁକ୍ତ ନୁହେଁ। ଏହି ସାର୍ବଜନୀନ ନିଲାମ ଆଗାମୀ ୨୦.୦୯.୨୦୨୬(ରବିବାର) ଦିନ ପୂର୍ବାହ୍ନ ୧୧:୦୦ଟା ସମୟରେ ପୁଇଁତଳା ପୋଲିସ ଷ୍ଟେସନ ପରିସରରେ ଅନୁଷ୍ଠିତ ହେବ। ଏଥିରେ ମୋଟ ୨୮୮.୦୦ କୁଇଂଟାଲ ଜବତ ଚାଉଳ ବିକ୍ରି କରାଯିବ। ଜବତ ଚାଉଳର ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ କୁଇଂଟାଲ ପିଛା ୧,୪୫୦/- ଟଙ୍କା ସ୍ଥିର କରାଯାଇଛି। ଆଗ୍ରହୀ ବ୍ୟବସାୟୀ, ଚାଉଳ ଡିଲର, ଫିଡ୍ ପ୍ରସ୍ତୁତକାରୀ, ଶିଳ୍ପ ବ୍ୟବହାରକାରୀ ଏବଂ ଅନ୍ୟାନ୍ୟ ଯୋଗ୍ୟ କ୍ରେତାମାନେ ଏହି ନିଲାମରେ ଭାଗରେ ନେଇପାରିବେ। ତେବେ ଉକ୍ତ ମାମଲାରେ ଜଡ଼ିତ ଅଭିଯୁକ୍ତ, ମାଲିକ, ଡ୍ରାଇଭର କିମ୍ବା ଦାବିଦାରମାନେ ସିଧାସଳଖ କିମ୍ବା ପରୋକ୍ଷରେ ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ଆଗ୍ରହୀ କ୍ରେତାମାନେ ୧୯.୦୯.୨୦୨୬ ମଧ୍ୟରେ ପୁଇଁତଳା ପୋଲିସ ଷ୍ଟେସନରୁ, ପ୍ରକ୍ରିୟାକରଣ ଶୁକ୍ଳ ବାବଦରେ ୫୦୦/- ଟଙ୍କା(ବିନା ଫେରସ୍ତ) ଦେଇ ଆବେଦନ ଫର୍ମ ସଂଗ୍ରହ କରିବେ ଏବଂ ନିଲାମ ପୂର୍ବରୁ ୫,୦୦୦/- ଟଙ୍କାର ଅମାନତ ରାଶି ଜମା କରିବେ। ଏହି ନିଲାମ କାର୍ଯ୍ୟକ୍ରମ ପୁଇଁତଳା ତହସିଲଦାରଙ୍କ ଅଧ୍ୟକ୍ଷତାରେ, ପୁଇଁତଳା ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ, ବଲାଙ୍ଗୀର(ସଦର) ସହକାରୀ ଯୋଗାଣ ଅଧିକାରୀ ଏବଂ ପୁଇଁତଳା ବ୍ଲକ ଯୋଗାଣ ପରିଦର୍ଶକଙ୍କୁ ନେଇ ଗଠିତ କମିଟି ଦ୍ୱାରା ପରିଚାଳିତ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ