
ଝାରସୁଗୁଡ଼ା, ୧୯ ସେପ୍େଟମ୍ବର (ହି.ସ.) - ଉତରାଂଚଳ ରାଜସ୍ୱ କମିଶନର ତଥା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଭୋଟର ତାଲିକା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର (ଭା.ପ୍ର.ସେ.) ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତିର ତୃତୀୟ ପର୍ଯ୍ୟାୟ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ସେ ଜିଲ୍ଲାରେ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ, ସମସ୍ତ ମତଦାନ କେନ୍ଦ୍ର ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହାର ଉପଲବ୍ଧତା ଏବଂ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଚୂଡ଼ାନ୍ତ ତାଲିକା ପ୍ରଦାନ ନିମନ୍ତେ କରାଯାଇଥିବା ସମସ୍ତ ପ୍ରସ୍ତୁତିର ତଦାରଖ କରିଥିଲେ। ସମସ୍ତ କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କୁଣାଲ ମୋତିରାମ ଚହ୍ୱାଣ (ଭା.ପ୍ର.ସେ.) ଉପସ୍ଥିତ ରହି ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ଓ ପ୍ରକାଶନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହିତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଲଳିତ କୁମାର ସୋରେଙ୍ଗ ଏବଂ ଉପଜିଲ୍ଲାପାଳ ତଥା ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରକ୍ରିୟା ସୁଚାରୁରୂପେ ସମ୍ପନ୍ନ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
--------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ